Advertisement

ଛାତ୍ରଙ୍କୁ ୩ ମହଲା କୋଠାରୁ ଠେଲିଦେବା ମାମଲା: ଆଣ୍ଟି ରାଗିଂ ସେଲ୍‌, ପୋଲିସର ତଦନ୍ତ ଆରମ୍ଭ

ଭବାନୀପାଟଣା,୩୦ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ମେଦିନିପୁର ନିକଟ ବିନାୟକ ଆବାସିକ କଲେଜର ଜଣେ ଛାତ୍ରଙ୍କୁ ୩ମହଲା କୋଠାରୁ ଠେଲିଦେବା ଘଟଣାର ଆଣ୍ଟି ରାଗିଂ ସେଲ୍‌ ଓ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ରବିବାର ରାତିରେ ଏହି ଘଟଣା ଘଟିଥିବାବେଳେ ଗୁରୁତର ଅବସ୍ଥାରେ ଆହତ ଛାତ୍ରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡ଼ ଓ ଅଣ୍ଟାରେ ଆଘାତ ଲାଗିଛି। ଛାତ୍ରଙ୍କ ନାମ ଅଙ୍କେଶ ବାଗ ଓ ସେ ଯୁକ୍ତ ୨ ଦ୍ବିତୀୟ ବର୍ଷର (କଳା) ଛାତ୍ର ବୋଲି ଜଣାପଡ଼ିଛି।

ଖବର ପାଇ କଲେଜ କର୍ମଚାରୀ ପହଞ୍ଚିବା ପରେ ଗୁରୁତର ଛାତ୍ରଙ୍କ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ହେବାରୁ ଚିକିତ୍ସାଳୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଙ୍କେଶଙ୍କ କହିବା ଅନୁଯାୟୀ ସହପାଠୀମାନେ ବିଭିନ୍ନ ସମୟରେ ରାଗିଂ କରି ମାଡ଼ ମାରନ୍ତି। ରବିବାର ରାତିରେ ମଧ୍ୟ ୯ଜଣ ଛାତ୍ର କ୍ଲାସ୍‌ରେ ମାଡ଼ ମାରି ତିନିମହଲା କୋଠାରୁ ଠେଲି ଦେଇଥିବା ସେ କହିଛନ୍ତି।

ସେହିପରି ପୂର୍ବରୁ ମଧ୍ୟ ତାଙ୍କ ପୁଅକୁ ଉକ୍ତ ଛାତ୍ରମାନେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମା’ ବିମଳା ବାଗ। ତଦନ୍ତ କରି ସଂପୃକ୍ତ ଛାତ୍ରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଏ ନେଇ କଲେଜ ଅଧ୍ୟକ୍ଷ ନଳିନୀ କାନ୍ତ ଦାଶଙ୍କୁ ପଚାରିବାରୁ କଲେଜର ଆଣ୍ଟି ରାଗିଂ ସେଲ ଏହାର ତଦନ୍ତ କରୁଛି। ଏଥିରେ ଦୋଷୀ ଜଣାପଡିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ, ଛାତ୍ରଙ୍କ ବାପା କମଳ ବାଗ ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଏକ ମାମଲା (ନଂ.୪୦୫/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଦର ଥାନା ଆଇଆଇସି ନରେଶ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ବିନାୟକ କଲେଜ ଓ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ତଦନ୍ତ କରିଛି। ଏହି ସମୟରେ କଲେଜ ଛାତ୍ର, କର୍ମଚାରୀଙ୍କ ସହ ଟିମ୍‌ ଆଲୋଚନା କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share