ସଂରକ୍ଷଣ ବିରୋଧୀ ହିଂସା: ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ଢାକା,୧୮ା୭: ୧୭ କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶରେ ବେରୋଜଗାର ବଢ଼ି ଚାଲିଛି। ପ୍ରାୟ ୩ କୋଟି ୨୦ ଲକ୍ଷ ଯୁବତୀଯୁବକ ନିଯୁକ୍ତି ନ ପାଇ ବେକାର ବୁଲୁଛନ୍ତି। ଏଭଳି ସମୟରେ ସରକାରୀ ନିଯୁକ୍ତିରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ପରିବାରକୁ ୩୦ ପ୍ରତିଶତ ସଂରକ୍ଷଣ ଛାତ୍ରୀଛାତଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି।

ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ଦେଶକୁ ସ୍ବାଧୀନତା ଆଣିଥିବା ଆଓ୍ବାମୀ ଲିଗ୍‌ ପାର୍ଟିର ନେତାମାନଙ୍କ ପରିବାରକୁ ସୁହାଇଲା ଭଳି ଭେଦଭାବପୂର୍ଣ୍ଣ ନୀତି ଆପଣାଇଥିବା ଦର୍ଶାଇ ସଂରକ୍ଷଣର ଉଚ୍ଛେଦ ଦାବି କରିଛନ୍ତି ଛାତ୍ରୀଛାତ୍ର।

ଏଥିସହ ସେମାନେ ଯୋଗ୍ୟତା ଭିତ୍ତିରେ ସରକାରୀ ନିଯୁକ୍ତି ପ୍ରଦାନ ପାଇଁ ଦାବି କରିଛନ୍ତି। ସପ୍ତାହେ ଧରି ଚାଲିଥିବା ଆନ୍ଦୋଳନ ବେଳେ ପୋଲିସ ସହ ସଂଘର୍ଷ ଘଟି ୨୫ ବାଂଲାଦେଶୀଙ୍କ ମୃତ୍ୟୁ ଘଟିଲାଣି। ଗୁରୁବାର ଶତାଧିକ ବିକ୍ଷୋଭକାରୀ ଢାକାସ୍ଥିତ ସରକାରୀ ଟିଭି ଚ୍ୟାନେଲ ମୁଖ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି। ଏଥିସହିତ ୨ଟି ଥାନାକୁ ମଧ୍ୟ ସେମାନେ ଜାଳିଦେଇଛନ୍ତି।

Share