ଜି୭ରେ ରୁଷିଆ ବିରୋଧୀ ରଣନୀତି

ହିରୋଶିମା,୨୦ା୫: ବିଶ୍ୱର ସବୁଠୁ ପ୍ରଭାବଶାଳୀ ଗଣତନ୍ତ୍ରଗୁଡ଼ିକର ନେତାମାନେ ଶୁକ୍ରବାର ଜାପାନର ହିରୋଶିମା ସହରରେ ଏକାଠି ହୋଇଛନ୍ତି। ୟୁକ୍ରେନ୍‌ ଉପରେ ୧୫ ମାସ ଧରି ଆକ୍ରମଣ ଜାରି ରଖିଥିବା ରୁଷିଆକୁ ଦଣ୍ଡିତ କରିବା ପାଇଁ ଜି୭ ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦ ସମ୍ମିଳନୀର ପ୍ରଥମ ଦିନ ନୂଆ ରଣନୀତି ସ୍ଥିର କରିଛନ୍ତି। ୟୁକ୍ରେନ୍‌କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆଣବିକ ଆକ୍ରମଣ ଧମକ ସାଙ୍ଗକୁ ଉତ୍ତର କୋରିଆର ମାସାଧିକ କାଳ କ୍ଷେପଣାସ୍ତ୍ର ପରୀକ୍ଷଣ ଏବଂ ଚାଇନା ଦ୍ରୁତଗତିରେ ବିସ୍ତାର କରିଚାଲିଥିବା ନ୍ୟୁକ୍ଲିୟର ଅସ୍ତ୍ର ବିରୋଧରେ ଜାପାନର ଆଣବିକ ନିରସ୍ତ୍ରୀକରଣ ଅଭିଯାନକୁ ଜି୭ ରାଷ୍ଟ୍ରମୁଖ୍ୟମାନେ ସମର୍ଥନ କରିଛନ୍ତି। ବିଶ୍ୱନେତାମାନେ ୧୯୪୫ ଅଗଷ୍ଟ ୬ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକା ପକ୍ଷରୁ ହିରୋଶିମାରେ ଏକ ବି-୨୯ ପରମାଣୁ ବୋମା ନିକ୍ଷେପ ଫଳରେ ନିହତ ହୋଇଥିବା ୧,୪୦,୦୦୦ ଲୋକଙ୍କୁ ପିସ୍‌ ପାର୍କରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଗ୍ରୁପ୍‌ ଫଟୋ ଏବଂ ପ୍ରତୀକାମତ୍କ ଭାବେ ବୃକ୍ଷରୋପଣ କରିବା ପରେ ସେମାନେ ମସ୍କୋ ବିରୋଧରେ ନୂଆ ପର୍ଯ୍ୟାୟରେ କଟକଣା ଜାରି ପାଇଁ ଆଲୋଚନା କରିଥିଲେ।
ହେଉଛି ବିଶ୍ୱରେ ସର୍ବାଧିକ କଟକଣା ଭୋଗୁଥିବା ରାଷ୍ଟ୍ର। କିନ୍ତୁ ଏହା ବିରୋଧରେ ଲାଗିଥିବା ଆର୍ଥିକ କଟକଣାଗୁଡ଼ିକର ପ୍ରଭାବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ତେଣୁ ପୂର୍ବରୁ ଜାରି କରାଯାଇଥିବା କଟକଣାଗୁଡ଼ିକୁ କାର୍ଯ୍ୟକାରୀ ପାଇଁ ଉଦ୍ୟମକୁ ଦ୍ୱିଗୁଣିତ କରିବା ଉପରେ ସେମାନଙ୍କ ଫୋକସ୍‌ ରହିଥିବା ଜଣେ ଆମେରକୀୟ ଅଧିକାରୀ ସୂଚନା ଦେଇଛନ୍ତି। ରୁଷୀୟ ହୀରା ଆମଦାନୀ ବନ୍ଦ ସହ ମସ୍କୋ ପାଇଁ ବାଣିଜି୍ୟକ କାରବାରର ଦ୍ୱାର ବନ୍ଦ କରିବା ଉପରେ ୟୁରୋପୀୟ ସଂଘ (ଇୟୁ) ଗୁରୁତ୍ୱ ଦେଉଛି ବୋଲି ୟୁରୋପିଆନ୍‌ କାଉନ୍‌ସିଲ୍‌ ଅଧ୍ୟକ୍ଷ ଚାଲର୍‌ସ ମିଶେଲ କହିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି୭ରେ ଯୋଗଦେବା ପାଇଁ ହିରୋଶିମାରେ ପହଞ୍ଚତ୍ଛନ୍ତି। ସେ କ୍ୱାଡ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ଏଠାରୁ ଅଷ୍ଟ୍ରେଲିଆ ଯିବେ। ଜାପାନ, ପପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆରେ ମୋଦି ୪୦ ବୈଠକରେ ସାମିଲ ହେବେ। ଭାରତ ଚଳିତ ବର୍ଷ ଜି୨୦ରେ ଅଧ୍ୟକ୍ଷତା କରୁଥିବାରୁ ଜି୭ ସମ୍ମିଳନୀରେ ତାଙ୍କ ଉପସ୍ଥିତି ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ମୋଦି ଟୁଇଟ୍‌ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ଜି୭ରେ ସାମିଲ ହେବାକୁ ଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ମଧ୍ୟ ମୋଦି ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Share