୬ ଜଣଙ୍କୁ ମୃତ୍ୟୁ ଦଣ୍ଡ

ଲାହୋର,୧୯ା୪: ଧର୍ମନିନ୍ଦା ଅଭିଯୋଗରେ ପାକିସ୍ତାନରେ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ହତ୍ୟା ମାମଲାରେ ଲାହୋରସ୍ଥିତ ଏକ ଆତଙ୍କବାଦୀ ନିରୋଧୀ କୋର୍ଟ ସୋମବାର ୬ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଅନ୍ୟ ୯ ଜଣଙ୍କୁ ଆଜୀବନ କାରାଦଣ୍ଡ ଏବଂ ୭୨ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ ଜେଲଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି। ତେବେ ଟ୍ରାଏଲରେ ଥିବା ନାବାଳକଙ୍କ ନିମନ୍ତେ କୋର୍ଟ କୌଣସି ଦଣ୍ଡ ଘୋଷଣା କରିନାହାନ୍ତି।

ଡିସେମ୍ବର ୩ରେ ଏକ ପୋଷାକ ଫ୍ୟାକ୍ଟ୍ରିର ମ୍ୟାନେଜର ତଥା ଶ୍ରୀଲଙ୍କା ନାଗରିକ ପ୍ରିୟନ୍‌ଥା କୁମାର(୪୭)ଙ୍କୁ କଠୋରପନ୍ଥୀ ଟିଏଲ୍‌ପି ସମର୍ଥକଙ୍କ ସମେତ ୮୦୦ ଊର୍ଦ୍ଧ୍ୱ ଲୋକ ସିଆଲକୋଟ ଜିଲାରେ ଏକାଠି ହୋଇ ଭିଡ଼ହିଂସାରେ ହତ୍ୟା କରିଥିଲେ। ପରେ ମୃତଦେହକୁ ସେମାନେ ଜାଳି ଦେଇଥିଲେ। ମୋଟ ୮୯ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିବା ବେଳେ ମୃତକଙ୍କ ପରିବାରକୁ ସେମାନେ ୨ ଲକ୍ଷ ଟଙ୍କା ପ୍ରଦାନ ନିର୍ଦ୍ଦେଶ ମଧ୍ୟ ରହିଛି। ଆଜୀବନ କାରାଦଣ୍ଡ ପାଇଥିବା ୯ ଜଣଙ୍କୁ ୨ ଲକ୍ଷ ଜରିମାନା ଏବଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ କହିଛନ୍ତି।

Share