Categories: ଜାତୀୟ

ଓଟିଟିରେ ଆସିବ ତମାଖୁ ନିରୋଧୀ ବିଜ୍ଞାପନ

ନୂଆଦିଲ୍ଲୀ,୨୨ା୯: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକରେ ତମାଖୁ ନିରୋଧୀ ସ୍ବାସ୍ଥ୍ୟ ସଚେତନତା ବିଜ୍ଞାପନ ଦେବା ପାଇଁ ପ୍ରସ୍ତାବ ଆଣିଛି। ଯଦି ତାହା ଗୃହୀତ ହୁଏ, ତେବେ ୟୁଜରମାନେ ଓଟିଟି ଆପ୍‌ ଖୋଲୁ ଖୋଲୁ ଅନୂ୍ୟନ ୩୦ ସେକେଣ୍ଡ ପାଇଁ ତମାଖୁ ନିରୋଧୀ ବିଜ୍ଞାପନ ଦେଖିବାକୁ ବାଧ୍ୟ ହେବେ। ୟୁଜର ଚାହିଁଲେ ବି ଏହାକୁ ଅଣଦେଖା କରିପାରିବେ ନାହିଁ।

ନିକଟରେ ମନ୍ତ୍ରଣାଳୟ ଓଟିଟି ପ୍ଲାଟ୍‌ଫର୍ମଗୁନିକ ପାଇଁ ତମାଖୁ ନିରୋଧୀ ନିୟମାବଳୀର ଚିଠା ସଂଶୋଧନ ପ୍ରକାଶ କରିଥିଲା। ଉକ୍ତ ଚିଠା ଗାଇଡ୍‌ଲାଇନ୍ସ ଅନୁଯାୟୀ, ୨୦୨୩ ସେପ୍ଟେମ୍ବର ୧ ଏବଂ ଏହା ପରେ ମୁକ୍ତିଲାଭ କରିଥିବା ସମସ୍ତ ଚଳଚ୍ଚିତ୍ର, ତାହା ଭାରତୀୟ ହେଉ କି ବିଦେଶୀ ଏବଂ ସିବିଏଫ୍‌ସି ସାର୍ଟିଫିକେଟ ପାଇଥାଉ କି ନାହିଁ, ଅନୂ୍ୟନ ୩୦ ସେକେଣ୍ଡର ତମାଖୁ ନିରୋଧୀ ସଚେତନତା ବିଜ୍ଞାପନ ଦେବାକୁ ବାଧ୍ୟ। ଏହା ଚଳଚ୍ଚିତ୍ର ଆରମ୍ଭ ଏବଂ ମଧ୍ୟଭାଗରେ ପ୍ରଦର୍ଶନ କରାଯିବ। ଏଥିସହିତ ପରଦାର ତଳ ଭାଗରେ ତମାଖୁ ନିରୋଧୀ ସତର୍କ ସୂଚନା ସ୍ପଷ୍ଟ ଭାବେ ପ୍ରଦର୍ଶିତ ହେବା ଜରୁରୀ।

୨୦୨୩ ରୁଲ୍‌ସରେ ଆହୁରି କୁହାଯାଇଛି, ତମାଖୁ ସାମଗ୍ରୀ ଫିଚର ଥିବା ଅନ୍‌ଲାଇନ୍‌ କଣ୍ଟେଣ୍ଟରେ ଅନୂ୍ୟନ ୩୦ ସେକେଣ୍ଡ ତମାଖୁ ନିରୋଧୀ ସ୍ବାସ୍ଥ୍ୟ ସଚେତନତା ପ୍ରଦର୍ଶିତ କରିବାକୁ ହେବ। ସେପ୍ଟେମ୍ବର ୧୩ରେ ଜାରି ହୋଇଥିବା ଚିଠା ନିୟମାବଳୀରେ ଓଟିଟି ପ୍ଲାଟ୍‌ଫର୍ମଗୁଡ଼ିକର ସମସ୍ତ କଣ୍ଟେଣ୍ଟ ପାଇଁ ୩୦ ସେକେଣ୍ଡର ତମାଖୁ ନିରୋଧୀ ହେଲ୍‌ଥ ସ୍ପଟ୍‌ ରହିବା ବାଧ୍ୟତାମୂଳକ କରାଯାଇଛି, ଯାହାକୁ ୟୁଜର ବାଦ୍‌ଦେଇ ପାରିବେ ନାହିଁ। ଏଥିସହିତ ତମାଖୁ ବ୍ୟବହାରର କ୍ଷତିକାରକ ପ୍ରଭାବ ଉପରେ ଅନୂ୍ୟନ ୨୦ ସେକେଣ୍ଡର ଏକ ଅଡିଓ-ଭିଜୁଆଲ ଡିସ୍‌କ୍ଲେମର ରହିବ। ଓଟିଟି ପ୍ଲାଟ୍‌ଫର୍ମଗୁଡ଼ିକ ଉକ୍ତ ହେଲ୍‌ଥ ସ୍ପଟ୍‌ ଏବଂ ଡିସ୍‌କ୍ଲେମରଗୁଡ଼ିକୁ କେବଳ ପ୍ରୋଗାମ ଆରମ୍ଭ ଏବଂ ମଧ୍ୟଭାଗରେ ଦେଖାଇବେ ତାହା ନୁହେଁ, ପ୍ଲାଟ୍‌ଫର୍ମ ଖୋଲୁ ଖୋଲୁ ମଧ୍ୟ ଏହା ପ୍ରଦର୍ଶିତ ହେବ।

୨୦୨୨ ମେ’ରେ ଭାରତ ପ୍ରଥମ ଦେଶ ଭାବେ ଓଟିଟି ପ୍ଲାଟ୍‌ଫର୍ମରେ ତମାଖୁ ନିରୋଧୀ ସତର୍କତା ଏବଂ ଅସ୍ବୀକାରୋକ୍ତି ପ୍ରଦର୍ଶନକୁ ବାଧ୍ୟତାମୂଳକ କରିଥିଲା। ୨୦୨୩ ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହୋଇଥିବା ଓଟିଟି ନିୟମାବଳୀ ଅଧୀନରେ ଆସୁଥିବା ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ୍‌ ଭିଡିଓ, ଜିଓ ସିନେମା, ସୋନି ଏଲ୍‌ଆଇଭି, ଏଏଲ୍‌ଟି ବାଲାଜି, ଭୁତ୍‌ ଆଦି ପ୍ଲାଟଫର୍ମ ଏଣିକି ତମାଖୁ ନିରୋଧୀ ସଚେତନତା ବିଜ୍ଞାପନ ପ୍ରଦର୍ଶିତ କରିବାକୁ ବାଧ୍ୟ ହେବେ।

Share