ଭାରତରେ ମିଳିବ ‘ଆଣ୍ଟିବଡ଼ି କକ୍‌ଟେଲ’: ପ୍ରତି ଡୋଜ୍‌ ଦାମ୍‌ ୫୯,୭୫୦ ଟଙ୍କା..

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଲୋକଙ୍କୁ ସାଧାରଣ ଏବଂ ମଧ୍ୟମ ଲକ୍ଷଣ ପ୍ରକାଶ ପାଉଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଭାରତ ବଜାରରେ ସୁଇଜରଲାଣ୍ଡ ଔଷଧ କମ୍ପାନୀ ରୋଚେ ଦ୍ୱାରା ପ୍ରସ୍ତୁତ ହୋଇଥିବା ‘ଆଣ୍ଟିବଡ଼ି କକ୍‌ଟେଲ’ ଏବେ ଭାରତରେ ଉପଲବ୍ଧ ହେବ। ଭାରତରେ ସିପ୍‌ଲା ଔଷଧ କମ୍ପାନୀ ସହିତ ମିଳିତ ଭାବେ ଏହା ପ୍ରସ୍ତୁତ କରାଯିବ। ଏହାର ପ୍ରତି ଡୋଜ୍‌ ଦାମ୍‌ ୫୯,୭୫୦ ଟଙ୍କା ରହିଛି। ଏହାର ୧,୨୦୦ ମିଲିଗ୍ରାମ୍‌ ଡୋଜ୍‌ରେ ୬୦୦ ମିଲିଗ୍ରାମ୍‌ କାସିର୍‌ଇଭିମାବ୍‌ ଏବଂ ୬୦୦ ମିଲିଗ୍ରାମ୍‌ ଇମ୍‌ଡେଭିମାବ୍‌ ରହିଛି। ଏହାର ମଲ୍ଟି ଡୋଜ୍‌ ପ୍ୟାକ୍‌ର ଦାମ୍‌ ୧,୧୯,୫୦୦ ଟଙ୍କା ରହିଛି। ଏହାକୁ ଦୁଇଜଣ ଆକ୍ରାନ୍ତ ବ୍ୟବହାର କରିପାରିବେ। ‘ଆଣ୍ଟିବଡ଼ି କକ୍‌ଟେଲ’ରେ ଏକ ପ୍ରକାର ପ୍ରୋଟିନ୍‌ ରହିଛି। ଏହା କରୋନା ଭୂତାଣୁ ବିରୋଧରେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ସକ୍ଷମ ହୋଇଥାଏ। ଏହାକୁ ୧୨ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ପିଲା ମଧ୍ୟ ଦିଆଯାଇ ପାରିବ। ମାତ୍ର ଏହାର ଦାମ୍‌ ଅଧିକ ରହିଥିବାରୁ ସାଧାରଣ ଲୋକଙ୍କ ପକ୍ଷରେ ଏହାକୁ କିଣିବା କଷ୍ଟକର ହେବ।

Share