Categories: ଖେଳ

ଫାଇନାଲରେ ଅନ୍ତିମ ପଙ୍ଘାଲ୍‌

ଅସ୍ତାନା,୧୩ା୪(ପି.ଟି.): ଅସ୍ତାନା ରେସ୍‌ଲିଂ ଚାମ୍ପିୟନଶିପ୍‌ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଅନ୍ତିମ ପଙ୍ଘାଲ୍‌। ୫୩ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୮ ବର୍ଷୀୟା ଅନ୍ତିମ ଚମତ୍କାର କାଉଣ୍ଟର ଆଟାକ୍‌ ପ୍ରଦର୍ଶନ ସହ ଫାଇନାଲରେ ପ୍ରବେଶ କରିଥିଲେ। ୫୭ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟତମ ଭାରତୀୟ ଅଂଶୁ ମଲିକ୍‌ ସେମିଫାଇନାଲରେ ଜାପାନର ସାଏ ନାଞ୍ଜୋଙ୍କଠାରୁ ହାରି ବ୍ରୋଞ୍ଜ ପଦକ ଲାଗି ମୁକାବିଲା କରିବେ। ଅନ୍ତିମ ଚଳିତ ବର୍ଷ ୨୦ ବର୍ଷରୁ କମ୍‌ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଚଳିତ ଟୁର୍ନାମେଣ୍ଟରେ ଅନ୍ତିମଙ୍କ ବିରୋଧରେ ମାତ୍ର ଗୋଟିଏ ପଏଣ୍ଟ ସ୍କୋର ହୋଇଛି। ଉଜବେକିସ୍ତାନର ଅକଟେଙ୍ଗେ କେଉନିମଜାଏଭାଙ୍କୁ ୮-୧ରେ ପରାଜିତ କରିଥିବା ବେଳେ ଏହି ପଏଣ୍ଟଟି ସ୍କୋର ହୋଇଥିଲା। ସେ ନିଜ ପ୍ରଥମ ରାଉଣ୍ଡ ଲଢେଇରେ ସିଙ୍ଗାପୁରର ହାଇଓ ପିଙ୍ଗ ଆଲଭିନାଙ୍କୁ ଫଲ୍‌ ଜରିଆରେ ପରାସ୍ତ କରିଥିଲେ। ଅନ୍ୟ ପକ୍ଷରେ କ୍ୱାର୍ଟର ଫାଇନାଲରେ ଚାଇନାର ଲି ଡେଙ୍ଗଙ୍କୁ ୬-୦ରେ ପରାସ୍ତ କରିଥିଲେ। ଫାଇନାଲ ମ୍ୟାଚରେ ସେ ୨୦୨୧ ବିଶ୍ୱ ଚାମ୍ପିୟନ୍‌ ଜାପାନର ଆକାରି ଫୁଜିନାମିଙ୍କୁ ଭେଟିବେ।
୫୭ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୦୨୧ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଅଂଶୁଙ୍କ ନିକଟରୁ ଏକ ପଦକ ଆଶା କରାଯାଉଥିଲା। ସେମିରେ ସେ ଜାପାନର ସାଏ ନାଞ୍ଜୋଙ୍କ ନିକଟରୁ ୫-୧ରେ ପରାଜିତ ହେବା ସହ ବର୍ତ୍ତମାନ ବ୍ରୋଞ୍ଜ ପଦକ ପାଇଁ ଲଢିବେ। ଏହି ଲଢେଇ ସମୟରେ ସେ ଆହତ ହୋଇ ଥିବାରୁ ବ୍ରୋଞ୍ଜ ପଦକ ମୁକାବିଲାରେ ଅଂଶଗ୍ରହଣ କରିବା ଉପରେ ଆଶଙ୍କା ରହିଛି। ଅନ୍ୟତମ ଭାରତୀୟଙ୍କ ମଧ୍ୟରେ ୬୫ କିଗ୍ରା ବର୍ଗରେ ମନୀଷା, ୭୨ କିଗ୍ରା ବର୍ଗରେ ରୀତିକା ଓ ୬୨ କିଗ୍ରା ବର୍ଗରେ ସୋନମ ମଲିକ୍‌ ବ୍ରୋଞ୍ଜ ପଦକ ପାଇଁ ଲଢେଇ କରିବେ। ଏହି ଟୁର୍ନାମେଣ୍ଟରେ ଭାରତ ଅଦ୍ୟାବଧି ୬ ପଦକ ଜିତି ସାରିଛି। ଗ୍ରୀକୋ ରୋମାନରୁ ୪ ପଦକ ଆସିଥିବା ବେଳେ ମଙ୍ଗଳବାର ୬୮ କିଗ୍ରା ବର୍ଗରେ ନିଶା ଦାହିୟା ଓ ୭୬ କିଗ୍ରା ବର୍ଗରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ।

Share