ୱାଶିଂଟନ: ଆର୍ନୋଲ୍ଡ ସ୍କ୍ବାର୍ଜନେଗର ଏକ ନାଁ ନୁହେଁ, ଏହା ଏକ ବ୍ରାଣ୍ଡ୍। ଏହି ବ୍ୟକ୍ତି ସିନେମା ଏବଂ ବଡିବିଲ୍ଡିଂକୁ ଏପରି ଭାବେ ଯୋଡିଦେଲେ ଯେ ଅନେକ ଲୋକ ବଡି କରିବାକୁ ପସନ୍ଦ କରୁଛନ୍ତି। ବଡିବିଲ୍ଡିଂକୁ ନେଇ ଆର୍ନୋଲ୍ଡଙ୍କ ନାମରେ ଏକ ବିଶ୍ୱ ରେକର୍ଡ ରହିଛି, ଯାହା ୫୭ ବର୍ଷ ହେବ ସେମିତି ରହିଥିଲା। ହେଲେ ଏବେ ତାଙ୍କର ଏହି ରେକର୍ଡକୁ ୧୯ ବର୍ଷୀୟ ଜଣେ ବାଳକ ଭାଙ୍ଗିବାରେ ସଫଳ ହୋଇଛନ୍ତି। ରିପୋର୍ଟ ମୁତାବକ, ଆର୍ନୋଲ୍ଡଙ୍କୁ ୨୦ ବର୍ଷ ହୋଇଥିବାବେଳେ ସେ ‘ମିଷ୍ଟର ୟୁନିଭର୍ସ’ ନାମକ ଏକ ପ୍ରତିଷ୍ଠିତ ରେକର୍ଡ କରିଥିଲେ। ଏହାପରେ ସେ ବଡିବିଲ୍ଡିଂରେ ଇଣ୍ଟରନ୍ୟାଶନାଲ ଫେଡେରେଶନ ଅଫ୍ ବଡିବିଲ୍ଡିଂ ସହ ଜଡିତ ପ୍ରୋ କାର୍ଡ ହାସଲ କରିଥିବା ସବୁଠାରୁ ଯୁବ ବଡିବିଲ୍ଡର ମଧ୍ୟ ହୋଇଯାଇଥିଲେ। ଏହି କାର୍ଡ ମିଳିଥିବା ବ୍ୟକ୍ତି ବଡିବିଲ୍ଡିଂ ସହ ଜଡିତ ପ୍ରତିଯୋଗିତାରେ ଭାଗନେଇ ସେଥିରୁ ରୋଜଗାର ମଧ୍ୟ କରିପାରିବେ। ହେଲେ ଆର୍ନୋଲ୍ଡଙ୍କ ଏହି ରେକର୍ଡ ଜଣେ ୧୯ ବର୍ଷୀୟ ଯୁବକ ଭାଙ୍ଗି ନିଜ ନାମରେ କରିଛନ୍ତି। ଆଣ୍ଟନ ରାତୁସ୍ନୀ ନାମକ ଏହି ଯୁବକ କ୍ଲାସିକ ଫିଜିକ୍ ପ୍ରୋରେ ଜିତି କମ୍ ବୟସରେ ଏହି ପ୍ରୋ କାର୍ଡକୁ ହାସଲ କରିପାରିଛନ୍ତି। ସେ ଗତ ସପ୍ତାହରେ ଆମେରିକାର ଟେକ୍ସାସରେ ଏନ୍ପିସି ନ୍ୟାଶନାଲ ଡିଭିଜନ ଟାଇଟଲ ଜିତିଛନ୍ତି। ଏବେ ସେ ଛୋଟ ବଡିବିଲ୍ଡରରେ ଗଣାଯିବେନି। ଚଳିତବର୍ଷ ପ୍ରାରମ୍ଭରେ ଆଣ୍ଟନ ଚର୍ଚ୍ଚାକୁ ଆସିଥିଲେ। ସେବେଠାରୁ ସେ ଚର୍ଚ୍ଚାରେ ରହିଛନ୍ତି। ତେବେ ସେ ୪ ବର୍ଷ ମଧ୍ୟରେ ଏପରି ବଡି ହାସଲ କରିବାରେ ସଫଳ ହୋଇଥିଲେ।