ଆମେରିକା ଉପରେ ଚାଇନାର ବେଲୁନ ଦେଖି ବଢିଲା ଟେନସନ, ବ୍ଲିଙ୍କନଙ୍କ ବେଜିଂ ଯାତ୍ରା ସ୍ଥଗିତ

ୱାଶିଂଟନ,୪ ।୨: ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ’ କହିଛି ଦେଶରେ ଏକ ଚାଇନା ଗୁଇନ୍ଦା ବେଲୁନ ଦେଖାଯାଇଛି । ୩ଟି ବସ ଆକାରର ଏହି ବେଲୁନ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କ ଚାଇନା ଯାତ୍ରାର ଠିକ ପୂର୍ବରୁ ଦେଖାଯାଇଛି । ପେଣ୍ଟାଗନର ପ୍ରବକ୍ତା ବ୍ରିଗେଡିୟର ଜନରାଲ ପ୍ୟାଡ ରାଇଡର କହିଛନ୍ତି, ଗୁଇନ୍ଦା ବେଲୁନ ଉପରେ ନଜର ରଖାଯାଇଛି । ଏପଟେ ଚାଇନା କହିଛି କି ବେଲୁନଟି ରାସ୍ତା ଭୁଲି ଯାଇଥିଲା । ଏହାରି ଭିତରେ ବ୍ଲିଙ୍କନ ଚାଇନା ଯାତ୍ରାକୁ ରଦ୍ଦ କରି ଦେଇଛନ୍ତି । ଏପଟେ ପେଣ୍ଟାଗନ କହିଛି, ଚାଇନା ବେଲୁନ କିଛିଦିନ ପାଇଁ ଆମେରିକା ଉପରେ ରହିବ, ହେଲେ ଆମେ ସ୍ଥିତି ଉପରେ ନଜର ରଖିଛୁ ।
ପେଣ୍ଟାଗନର ପ୍ରବକ୍ତା କହିଛନ୍ତି, ନୋରଡା(ନର୍ଥ ଆମେରିକାନ ଏୟାରସ୍ପେସ ଡିଫେନ୍ସ କମାଣ୍ଡ) ଏହି ଗୁଇନ୍ଦା ବେଲୁନ ଉପରେ କଡା ନଜର ରଖିଛି । ରାଇଡର କହିଛନ୍ତି, ବେଲୁନ ଗୁରୁବାର ମୋଂଟାନାରେ ଦେଖାଯାଇଛି । ଏ ସମ୍ପର୍କରେ ଜଣାପଡିବା ପରେ ଆମେରିକା ସରକାର ସମ୍ବେଦନଶୀଳ ତଥ୍ୟକୁ ସୁରକ୍ଷିତ ରଖିବାକୁୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେ କହିଛନ୍ତି ବେଲୁନ ବାଣିଜ୍ୟିକ ଆକାଶ ମାର୍ଗରୁ ବହୁ ଉଚ୍ଚରେ ରହିଛି ଓ ଏହାଦ୍ୱାରା ତଳେଥିବା ଲୋକଙ୍କର କିଛି କ୍ଷତି ହେବ ନାହିଁ । ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଏ ସମ୍ପର୍କରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅବଗତ କରାଇ ଦିଆଯାଇଛି ।

Share