ନୂଆଦିଲ୍ଲୀ,୨୪।୨: ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ମାର୍ଚ୍ଚ ୧ରେ ଭାରତ ଗସ୍ତରେ ଆସିବେ। ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେବେ। ଭାରତ ସହ ଆମେରିକାର ଦୃଢ ସହଭାଗିତାକୁ ନିଶ୍ଚିତ କରିବାକୁ ସେ ବରିଷ୍ଠ ଭାରତୀୟ ଅଧିକାରୀଙ୍କୁ ଭେଟିବେ। ଏଥର ଭାରତ ଜି -୨୦ର ଅଧ୍ୟକ୍ଷତା କରୁଛି। ବୈଠକରେ ଖାଦ୍ୟ, ଶକ୍ତି ନିରାପତ୍ତା, ନିରନ୍ତର ବିକାଶ ଉପରେ ସହଯୋଗକୁ ଗଭୀର କରିବା ଉପରେ ଆଲୋଚନା ହେବ। ଏହା ବ୍ୟତିତ ଲିଙ୍ଗଗତ ସମାନତା ଏବଂ ମହିଳା ଅଧିକାର ଉପରେ ମଧ୍ୟ ଆଲୋଚନା କରାଯିବ ବୋଲି ରାଜ୍ୟ ବିଭାଗ ମୁଖପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ତିନି ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆଣ୍ଟୋନି। ସେ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ଭାରତରେ ରହିବେ। ଏହି ସମୟରେ ସେ ସମସ୍ତ ନେତାଙ୍କୁ ଭେଟିବେ।