ବର୍ଷାଙ୍କୁ ଅନୁଭବଙ୍କ ୩ ଚ୍ୟାଲେଞ୍ଜ

କଟକ ଅଫିସ,୨୫ା୫: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ ବିବାଦ। ୟୁଟ୍ୟୁବ୍‌ରେ ଅନୁଭବ ଗତ ଗୁରୁବାର ଏବଂ ଶନିବାର ଦୁଇଟି ଭିଡିଓ ଛାଡ଼ି ଅକୁଥା ସତ ଭାବେ ଅନେକ କଥା କହିଥିଲେ। ହେଲେ ସେଥିରେ ବର୍ଷା ତାଙ୍କ ସମ୍ମାନ ଏବଂ ଚରିତ୍ରହାନି ହେଉଥିବା ଏବଂ ନାରୀତ୍ୱ ପ୍ରତି ଅପମାନ ହେଉଥିବା ଦର୍ଶାଇ ରବିବାର ପୁରୀଘାଟ ଥାନାରେ ଅନୁଭବଙ୍କ ନାମରେ ଅଭିଯୋଗ କରିଥିଲେ। ଏହାପରେ ଅନୁଭବ ପୁଣିଥରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ୟୁଟ୍ୟୁବ ଆକାଉଣ୍ଟରେ ‘ଅକୁହା ସତ’ ପାର୍ଟ-୩ ଅପ୍‌ଲୋଡ୍‌ କରି ତାଙ୍କ ଉପରେ ବର୍ଷା ଲଗାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ଭିଡିଓରେ ସେ ଖୋଲାଖୋଲି ଭାବେ ବର୍ଷାଙ୍କୁ ଅଲଗା ହୋଇଯିବାକୁ କହିଛନ୍ତି। ଏଥିସହ ଅନୁଭବ ବର୍ଷାଙ୍କୁ ୩ଟି ଚ୍ୟାଲେଞ୍ଜ ଦେଇ ସାହସ ଅଛି ଯଦି ଏହାକୁ ଗ୍ରହଣ କର ବୋଲି କହିଛନ୍ତି। ତାହାହେଲା ମେଡିକାଲ ଟେଷ୍ଟ, ଫରେନ୍‌ସିକ୍‌ ଲାବ୍‌ରେ ବର୍ଷାଙ୍କ ଅଡିଓ ଟେଷ୍ଟ ଏବଂ ପଲିଗ୍ରାଫି ବା ଲାଏ ଡିଟେକ୍ସନ୍‌ ଟେଷ୍ଟ କରିବାକୁ ସେ ବର୍ଷାଙ୍କୁ ଆହ୍ବାନ ଦେଇଛନ୍ତି।
ଅନୁଭବ କହିଛନ୍ତି, ସ୍ବାମୀ-ସ୍ତ୍ରୀ ବିବାଦ ସେ ନୁହେଁ, ବର୍ଷା ପଦାକୁ ଆଣିଛନ୍ତି। ଦୁଇ ପରିବାରର ମର୍ଯ୍ୟାଦାହାନି ନ ହେବା ପାଇଁ ସେ ଦିଲ୍ଲୀ ପଟିଆଲା କୋର୍ଟରେ ଆବେଦନ କରିଥିଲେ। ଦୁଇ ଜଣ ସେଲିବ୍ରେଟି ହୋଇଥିବାରୁ ସମ୍ମାନହାନିକୁ ରୋକିବା ପାଇଁ ସେମାନଙ୍କ ବିରୋଧରେ ଚାଲିଥିବା ଛାଡ଼ପତ୍ର ମାମଲା ଗଣମାଧ୍ୟମରେ ପ୍ରସାରଣ ନ ହେବାକୁ କୋର୍ଟରେ ଅପିଲ୍‌ କରିଥିଲେ। କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ। ବର୍ଷା ଏହାକୁ କଟକ କୋର୍ଟକୁ ଆଣିଥିଲେ। ସେ ଯେତେ ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ବର୍ଷା ତାହାକୁ ସେତେ ଲୋକଙ୍କୁ ଜଣାଉଛନ୍ତି। ତାଙ୍କ ଉପରେ ବର୍ଷା ଲଗାଇଥିବା ସମସ୍ତ ଅଭିଯୋଗ ମିଛ ବୋଲି ସେ କହିଛନ୍ତି।
ବିବାହ ବିଚ୍ଛେଦ ନେଇ ଅନୁଭବ କହିଛନ୍ତି, ‘ଆମେ କେବେ ଏକାଠି ରହିପାରିବାନି, ତେଣୁ ଅଲଗା ହୋଇଯିବାଟା ଆମ ଉଭୟଙ୍କ ପାଇଁ ଭଲ। କେସ୍‌ ଲଢ଼ିଲେ କାହାକୁ କିଛି ମିଳିବନି। କେସ୍‌ରେ ଜଣେ ଜିତିବ, ଜଣେ ହାରିବ। ହେଲେ ଜୀବନରେ କେହି ଜିତିପାରିବାନାହିଁ।’
ବର୍ଷାଙ୍କ ଅଭିଯୋଗ ସଂକ୍ରାନ୍ତରେ ଅନୁଭବ କହିଛନ୍ତି, ‘ମୁଁ ତାଙ୍କ ବିରୋଧରେ ଅପ୍ରପଚାର କରୁଛି, ତାଙ୍କ ନାରରତ୍ୱକୁ ଅପମାନିତ କରିଛି, ତାଙ୍କ ପ୍ରତିଷ୍ଠା ନଷ୍ଟ କରିବାକୁ ଚେଷ୍ଟା କରୁଛି। ଏପରିକି ମୁଁ ତାଙ୍କୁ ବାଟଘାଟ ଚଲାଇ ଦେଉନି, ଧମକ ଦେଇଥିଲି। ୮ ବର୍ଷ ହେଲା ଯଦି ସେ ଏତେ ନିର୍ଯାତିତା ହେଉଥିଲେ, କାହିଁକି କେଉଁ ଥାନାରେ ଅଭିଯୋଗ କରି ନ ଥିଲେ। ମୁଁ ଡିଭୋର୍ସ ଫାଇଲ କରିବା ପରେ ସବୁ ନିର୍ଯାତନା କଥା ମନେପଡ଼ିଲା ଆଉ ଥାନାକୁ ଦୌଡ଼ିଲେ।’ ଏ ସମ୍ପର୍କରେ ବର୍ଷାଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ଫୋନରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ଗ୍ରହଣ କରି ନ ଥିଲେ।

Share