ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍‌ ଘୋଷଣା କଲେ ଅନୁପମ ଖେର

ଭୁବନେଶ୍ୱର,୨୩।୧୧: ହିନ୍ଦୀରେ ରିମେକ୍‌ ହେବ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’। ପିତା-ପୁତ୍ରଙ୍କ ସମ୍ପର୍କ ଉପରେ ପର୍ଯ୍ୟବେଶିତ ଏହି ସିନେମାର ହିନ୍ଦି ରିମେକ୍‌ର ପ୍ରଯୋଜନା କରିବେ ବଲିଉଡ୍‌ର ଭେଟେରାନ ଅଭିନେତା ଅନୁପମ ଖେର। ଏହାଛଡ଼ା ସେ ଫିଲ୍ମରେ ପିତାଙ୍କ ଭୂମିକାରେ ଅଭିନୟ ମଧ୍ୟ କରିବେ। ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅଭିନେତା ଏନେଇ ଘୋଷଣା କରିଛନ୍ତି। ଏଥିପାଇଁ ସେ ପ୍ରତୀକ୍ଷାର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ଟୋକନ୍‌ ଭାବେ କିଛି ଅଗ୍ରିମ ଟଙ୍କା ପ୍ରଦାନ କରିଛନ୍ତି। ତେବେ ଏହି ମୂହୁର୍ତ୍ତ ସେମାନଙ୍କ ସହ ଓଡ଼ିଶାବାସୀଙ୍କ ପାଇଁ ବହୁତ ବଡ଼ ବୋଲି ଅନୁପମ କହିଛନ୍ତି।

‘ପ୍ରତୀକ୍ଷା’ର କାହାଣୀ ଲେଖକ ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପ ଉପରେ ଅନୁପ୍ରାଣିତ ହୋଇ ପ୍ରସ୍ତୁତ ହୋଇଛି। ଏହା ମଧ୍ୟବିତ୍ତ ପରିବାରର ବାଳକ ସଞ୍ଜୟଙ୍କ କାହାଣୀ, ଯିଏ ପିତାଙ୍କ ଅବସର ଗ୍ରହଣ କରିବାର କିଛି ମାସ ପୂର୍ବରୁ ସରକାରୀ ଚାକିରି ଖୋଜୁଛନ୍ତି। ପରିବାର ଋଣ ଭାରରେ ବୁଡ଼ିଥିବାରୁ ସଞ୍ଜୟଙ୍କ ବାପା ତାଙ୍କୁ ଚାକିରି କରିବାକୁ କୁହନ୍ତି। ପିତା ଏକ ରୋଗରେ ଆକ୍ରାନ୍ତ ଥିବାରୁ ସରକାରୀ ନିୟମାନୁଯାୟୀ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କୁ ଚାକିରି ମିଳିବା ବିଷୟରେ ସେ ଜାଣିବାକୁ ପାଆନ୍ତି। ପରେ ହତାଶ ସଞ୍ଜୟ ପିତାଙ୍କ ମୃତ୍ୟୁକୁ ଅପେକ୍ଷା କରି ରହିଥାନ୍ତି। ଏମିତିରେ ଦେଖିବାକୁ ଗଲେ ଫିଲ୍ମଟି ପିତା-ପୁତ୍ରଙ୍କ ଜଟିଳ ସମ୍ପର୍କ ବିଷୟରେ ବୋଲି କହିପାରିବେ। ଏହି ଫିଲ୍ମ ଗୋଆରେ ଚାଲିଥିବା ଚଳଚ୍ଚିତ୍ର ମହୋତ୍ସବରେ ଜୁରୀଙ୍କ ପ୍ରଶଂସା ସାଉଁଟିଛି ଫିଲ୍ମ।

Share