ବଲିଉଡ୍‌ ଅଭିନେତା ଅନୁପମ ଖେରଙ୍କ ମା’ଙ୍କ ସମେତ ୪ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ,୧୨।୭: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ଓ ତାଙ୍କ ପୁଅ ଅଭିଷେକ ଶନିବାର କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ବଲିଉଡ୍‌ କଳାକାରଙ୍କ ଘରେ କରୋନା ପ୍ରବେଶ କରିଥିବା ଆଲୋଚନା ହେଉଛି। ରବିବାର ଅଭିନେତା ଅନୁପମ ଖେରଙ୍କ ମା’, ଭାଇଙ୍କ ସମେତ ୪ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଅନୁପମ ରବିବାର ସକାଳେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। କିଛିଦିନ ହେବ ଅନୁପମଙ୍କ ମା’ ଦୁଲାରି ଅସୁସ୍ଥ ଥିଲେ। ନିକଟରେ ତାଙ୍କର ବ୍ଲଡ ଟେଷ୍ଟ କରାଯିବା ସହ ସିଟିସ୍କାନ ମଧ୍ୟ କରାଯାଇଥିଲା। ତେବେ ମା’ଙ୍କର କରୋନା ଟେଷ୍ଟ କରାଯିବା ପରେ ସେ ସାମନ୍ୟ ଭାବେ କରୋନାରେ ଆକ୍ରାନ୍ତ ବୋଲି ଜଣାପଡିଥିଲା। ଏହାପରେ ତାଙ୍କୁ କୋକିଳାବେନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହାକୁ ଦେଖି ଅନୁପମ ଓ ତାଙ୍କ ଭାଇ କରୋନା ଟେଷ୍ଟ କରିଥିବା ବେଳେ ଅନୁପମଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ତାଙ୍କ ଭାଇଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାସହ ତାଙ୍କ ଭାଉଜ ଓ ଝିଆରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ପୁତୁରାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ଏହାକୁ ନେଇ ଅନୁପମ ଏକ ଭିଡିଓ ଶେୟାର କରିବା ସହ ଏହି ସମୟରେ ସମସ୍ତେ ପିତାମାତାଙ୍କ ଯତ୍ନ ନେବାକୁ କହିଛନ୍ତି।

Share