Categories: ଖେଳ

ଇଣ୍ଡୋନେସିଆରେ ଅଭ୍ୟାସ କରିବେ ଅନୁପମା

ଭୁବନେଶ୍ୱର, ୧୮।୯(ତପନ ସ୍ବାଇଁ): ଚାଇନାର ହାଙ୍ଗଝୋଠାରେ ହେବାକୁଥିବା ଏସିଆନ ଗେମ୍ସର ଜୁ-ଜିଟ୍‌ସୁ ଇଭେଣ୍ଟରେ ପ୍ରଥମଥରପାଇଁ ଭାରତରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି ଓଡ଼ିଶାର ଅନୁପମା ସ୍ବାଇଁ। ଓଡ଼ିଶା ପୋଲିସରେ କାର୍ଯ୍ୟରତ ଅନୁପମା ପୂର୍ବରୁ ଉତ୍କଳ କରାଟେ ସ୍କୁଲରେ ପ୍ରଶିକ୍ଷଣ ନେଉଥିଲେ। ଅଧିକ ଦକ୍ଷ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଅଭ୍ୟାସ ନିମନ୍ତେ ସେ ଗତ ଦେଢ଼ଭାସଧରି ଅକ୍ସଟନ ଏକାଡେମୀରେ ଅଭ୍ୟାସ କରୁଥିଲେ। ଜୁ-ଜିଟ୍‌ସୁ ଆସୋସିଏଶନ ଅଫ୍‌ ଇଣ୍ଡିଆ ଦ୍ୱାରା ମନୋନୀତ ସମସ୍ତ ଏସିଆନ ଗେମ୍ସ ପ୍ରତିଯୋଗୀଙ୍କୁ ରବିବାର ନୂଆଦିଲ୍ଲୀରୁ ଇଣ୍ଡୋନେସିଆ ପଠାଯାଇଛି।

ତେଣୁ ଏହି ଦଳର ସଦସ୍ୟଭାବେ ଅନୁପମା ମଧ୍ୟ ଇଣ୍ଡୋନେସିଆ ଯାଇ ସେଠାରେ ଏସିଆନ ଗେମ୍ସ ପର୍ଯ୍ୟନ୍ତ ଅଭ୍ୟାସ କରିବେ। ଅକ୍ସଟନ ଏକାଡେମୀରେ ପ୍ରଶିକ୍ଷଣ ପାଇଁ ଅନୁପମାଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା। ଏସିଆନ ଗେମ୍ସରେ ଭାଗ ନେବାକୁ ଯାଉଥିବା ସମସ୍ତ ଓଡ଼ିଶା ପ୍ରତିଯୋଗୀଙ୍କୁ ୧୦ ଟଙ୍କା ଲେଖାଏ ପ୍ରଦାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରି ସାରିଛନ୍ତି।

ଇଣ୍ଡୋନେସିଆରେ ଅନୁଷ୍ଠିତ କ୍ୟାମ୍ପ ଖର୍ଚ୍ଚ ଜାତୀୟ ଜୁ-ଜିଟ୍‌ସୁ ମାଧ୍ୟମରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ବହନ କରୁଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ଯୋଗୁ ଅନ୍ୟ ଆନୁସଙ୍ଗିକ ଖର୍ଚ୍ଚ ସହଜ ହୋଇପାରିଛି ବୋଲି ଅନୁପମା ପ୍ରକାଶ କରିଛନ୍ତି। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ କ୍ରୀଡ଼ା ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।

Share