ଆତ୍ମସମର୍ପଣ କଲେ ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି

ବଡ଼ବିଲ,୯ା୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ମଙ୍ଗଳବାର ଓଡ଼ିଆ ସିନେ ଅଭିନେତା ତଥା ପୂର୍ବତନ ଏମ୍‌ପି ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତି ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆତ୍ମସମର୍ପଣ କରିବା ପରେ ସର୍ତ୍ତମୂଳକ ଜାମିନରେ ମୁକୁଳିଛନ୍ତି। ସୂଚନା ଅନୁଯାୟୀ, ୨୦୧୮ରେ ଏକ ଚେକ୍‌ ବାଉନ୍ସ ମାମଲାରେ ଅଭିଯୁକ୍ତ ଥିବା ଅନୁପ୍ରାସ କୋର୍ଟ ଦ୍ୱାରା ନିର୍ଦ୍ଧାରିତ ତାରିଖରେ ହାଜର ନ ହୋଇ ନିର୍ଦ୍ଦେଶକୁ ଅବମାନନା କରିଥିଲେ। ବଡ଼ବିଲ କୋର୍ଟ ପକ୍ଷରୁ ତାଙ୍କ ନାମରେ ଜାମିନବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲ୍ୟୁ) ଜାରି ହୋଇଥିଲା। ତେବେ ବଡ଼ବିଲ ଜେଏମ୍‌ଏଫ୍‌ସି କୋର୍ଟର ଏହି ଏନ୍‌ବିଡବ୍ଲ୍ୟୁ ବିରୋଧରେ ଅନୁପ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ତାଙ୍କୁ ବଡ଼ବିଲ ଜେଏମ୍‌ଏଫ୍‌ସି କୋର୍ଟରେ ଅକ୍ଟୋବର ୮ତାରିଖ ସୁଦ୍ଧା ହାଜରହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଅନୁପ୍ରାସ ବାଧ୍ୟହୋଇ ମଙ୍ଗଳବାର ବଡ଼ବିଲ କୋର୍ଟରେ ଆତ୍ମସମର୍ପଣକରି ସର୍ତ୍ତମୂଳକ ଜାମିନରେ ମୁକୁଳିଥିବା ଜଣାପଡ଼ିଛି।

Share