ଶ୍ରବଣବାଧିତଙ୍କୁ ଚିକିତ୍ସା ଯୋଗାଇବେ ଅନୁରାଧା ପଡ୍‌ୱାଲ

ଭୁବନେଶ୍ୱର,(ବ୍ୟୁରୋ)/ପୁରୀ ଅଫିସ, ୩।୨:ସୂର୍ଯ୍ୟୋଦୟ ଫାଉଣ୍ଡେଶନ ସଭାପତି ତଥା ବିଶିଷ୍ଟ ଗାୟିକା ପଦ୍ମଶ୍ରୀ ଅନୁରାଧା ପଡ୍‌ୱାଲ ଓଡ଼ିଶାରେ ସେବା କରିବାକୁ ମନ ବଳାଇଛନ୍ତି। ଏଥିପାଇଁ ତାଙ୍କ ସୂର୍ଯ୍ୟୋଦୟ ଫାଉଣ୍ଡେଶନ, ୱାଇଡେକ୍ସ ଇଣ୍ଡିଆ ଓ ଶିଭୋନ୍ତସ ଇଣ୍ଡିଆର ମିଳିତ ଉଦ୍ୟମରେ ଶ୍ରବଣ ଶକ୍ତି ହରାଇଥିବା ଦିବ୍ୟାଙ୍ଗଙ୍କୁ ମାଗଣାରେ ଚିକିତ୍ସା କରିବା ସହ ଶ୍ରବଣ ଯନ୍ତ୍ର ଯୋଗାଇ ଦିଆଯିବ। ଏନେଇ ଗୁରୁବାର ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅନୁରାଧା ସୂଚନା ଦେଇଛନ୍ତି। ଓଡ଼ିଶାର ଅନୁନ୍ନତ, ଆଦିବାସୀ ବହୁଳ ଓ ଉପାନ୍ତ ଅଞ୍ଚଳରେ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ। ପୁରୀଠାରୁ ଏହି ଶ୍ରବଣ ଯନ୍ତ୍ର ବଣ୍ଟନ ଓ ଚିକିତ୍ସା କାର୍ଯ୍ୟକ୍ରମ ଆରମ୍ଭ ହେବ l ପରବର୍ତ୍ତୀ ସମୟରେ ମୟୂରଭଞ୍ଜ, କେନ୍ଦୁଝର, କଟକ, ଭଦ୍ରକ, ବାଲେଶ୍ୱର ଆଦି ଜିଲାର ବିଭିନ୍ନ ଅଞ୍ଚଳରେ ଏହି ସେବା ଯୋଗାଇ ଦିଆଯିବ। ଖବରଦାତା ସମ୍ମିଳନୀରେ ସୁନାମଧନ୍ୟ କେଶ ପ୍ରତିରୋପଣ ଡାକ୍ତର ଡା. ପ୍ରଦୀପ ସେଠୀ, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଓ୍ବାଇଡେକ୍ସ ଇଣ୍ଡିଆର ପ୍ରଜ୍ଞା ଜୈନ, ଗୌରବ ଲଲାଣି, ହେମରାଜ ଅଗ୍ରୱାଲ, ପ୍ରସନ୍ନ ବିଶୋଇ ଓ ଚିରଞ୍ଜୀବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉ କି, ୱାଇଡେକ୍ସ ଇଣ୍ଡିଆ ଓ ଶିଭୋନ୍ତସ ଇଣ୍ଡିଆ ଶ୍ରବଣ ଯନ୍ତ୍ର ନିର୍ମାଣକାରୀ ସଂସ୍ଥା ହୋଇଥିବାବେଳେ ସୂର୍ଯ୍ୟୋଦୟ ଫାଉଣ୍ଡେଶନ ସ୍ବାସ୍ଥ୍ୟ, ଶିକ୍ଷା, ଯୁବକଙ୍କୁ ରୋଜଗାର, ଦାରିଦ୍ର୍ୟ ଦୂରୀକରଣ , ମହିଳା ସଶକ୍ତୀକରଣ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛି l
ଅପରାହ୍ନରେ ଅନୁରାଧା ପଡୱାଲ ପୁରୀ ଯାଇ ଶ୍ରୀମନ୍ଦିର ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିର ଭିତର ବେଢ଼ା ପରିସରରେ ଥିବା ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନ କରିଥିଲେ। ପରେ କିଛି ସମୟ ଶ୍ରୀମନ୍ଦିର ପରିସରରେ ରହି ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିଥିଲେ। ପଡୱାଲଙ୍କ ଆସିଥିବା ଦୁଇଜଣ ଅତିଥି ମଧ୍ୟ ତାଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

Share