ନିର୍ଦ୍ଦେଶକ-ଅଭିନେତାଙ୍କ ମଧ୍ୟରେ ଟୁଇଟର୍‌ ଯୁଦ୍ଧ

ଆଜିକାଲି ବଲିଉଡ ଷ୍ଟାର୍‌ମାନେ ସୋସିଆଲ ମିଡିଆରେ ବିଭିନ୍ନ ମୁଦ୍ଦାକୁ ନେଇ ନିଜ ମତ ରଖୁଥିବା ଦେଖାଯାଉଛି। ଏସବୁ ଭିତରେ ସେମାନଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହେଉଛି। ନିକଟରେ କଙ୍ଗନା ରାଣାଓ୍ବତ ଏବଂ ଦିଲଜିତ ଦୋସାଞ୍ଝ ଟୁଇଟରରେ କୃଷକ ଆନ୍ଦୋଳନ ନେଇ ଝଗଡା ଲାଗିଥିଲା। ଏବେ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବଂ ଅଭିନେତା ଅନିଲ କପୁରଙ୍କ ମଧ୍ୟରେ ସେମିତି କିଛି ଘଟିଛି। ଅନୁରାଗ କଶ୍ୟପ ଅନିଲ କପୁରଙ୍କ ‘ମୂଲ୍ୟହୀନ ଚଳଚ୍ଚିତ୍ର’ର ତାଲିକା ଦେଇଥିବାବେଳେ ଅନିଲ କପୁର ତାଙ୍କୁ ଅନୁରାଗଙ୍କ ଫ୍ଲପ୍‌ ଫିଲ୍ମ ‘ବମ୍ବେ ଭେଲଭେଟ’ଏବଂ ତାଙ୍କର ଅଟକି ରହିଥିବା କ୍ୟାରିୟର ବିଷୟରେ ମଧ୍ୟ ମନେ ପକାଇ ଦେଇଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ଟୁଇଟର୍‌ ଝଡ ଲାଗିଥିଲା। ରବିବାର ଅନିଲ କପୁର ଅନ୍ତର୍ଜାତୀୟ ଏମି ପୁରସ୍କାର ଜିତିଥିବା ଫିଲ୍ମ ‘ଡେଲି କ୍ରାଇମ’କୁ ଟୁଇଟର୍‌ରେ ଅଭିନନ୍ଦନ ଜଣାଇଥିଲେ। ଅନୁରାଗ କଶ୍ୟପ ଏଥିରେ ମଜା ନେଇ ତୁମ ଓସ୍କାର କେଉଁଠାରେ ବୋଲି ପଚାରିଥିଲେ। ଅନିଲ କପୁର ଏହା ଉପରେ ନୀରବ ନ ରହି କହିଥିଲେ, ଯେତେବେଳେ ଆପଣ ଏହି ଫିଲ୍ମକୁ ଟିଭିରେ ଦେଖିଲେ ଓସ୍କାର ଆପଣଙ୍କ ନିକଟତର ଥିଲା। ଅନିଲ କହିଥିଲେ, ମୋ ଗାଡି ତ ୪୦ ବର୍ଷ ପର୍ଯ୍ୟନ୍ତ ଚାଲିଲା, ତୁମର ଏପର୍ଯ୍ୟନ୍ତ ଗ୍ୟାରେଜ୍‌ରେ ପଡି ରହିଛି। ଏହା ପରେ ଅନୁରାଗ କହିଥିଲେ, ଯଦି ମୁଁ ଭୁଲ ନୁହେଁ, ତେବେ ଆପଣ ନିଜେ ଏହି ଚଳଚ୍ଚିତ୍ର ପାଇଁ ଦ୍ୱିତୀୟ ପସନ୍ଦ ଥିଲେ। ଏମିତି ଉଭୟଙ୍କ ମଧ୍ୟରେ ଟୁଇଟର୍‌ ଯୁଦ୍ଧ ଲାଗିଥିଲା।

Share