ଭାରତୀୟ ଖେଳାଳିଙ୍କୁ ପ୍ରବେଶ ଅନୁମତି ଦେଲା ନାହିଁ ଚାଇନା, ବୈଦେଶିକ ମନ୍ତ୍ରଣାଳୟ କହିଲା ଭେଦଭାବପୂର୍ଣ୍ଣ ବ୍ୟବହାର ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ/ବେଜିଂ,୨୨।୯: ଭାରତୀୟ ଖେଳାଳିଙ୍କୁ ଏସିଆନ ଗେମ୍ସରେ ଏଣ୍ଟ୍ରି ନ ଦେବାକୁ ନେଇ ଚାଇନାର ଚାଲକୁ ଭାରତ କଡା ବିରୋଧ କରିଛି। ନିକଟରେ ହାଙ୍ଗଝୁରେ ଅନୁଷ୍ଠିତ ହେବାକୁ ଥିବା ୧୯ବିଂଶ ଏସିଆନ ଗେମ୍ସରେ ଭାଗ ନେବାକୁ ଅରୁଣାଚଳ ପ୍ରଦେଶର ଭାରତୀୟ ଖେଳାଳିଙ୍କ ପ୍ରବେଶକୁ ମନା କରିଦେଇଛି। ଭାରତ ଏହାକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ନୂଆଦିଲ୍ଲୀ ଏବଂ ବେଜିଂରେ ଥିବା ଭାରତୀୟ ଦୂତାବାସ ମାଧ୍ୟମରେ ଭାରତ ବିରୋଧ ପ୍ରଦର୍ଶନ କରିଛି।
ସୂଚନାଯୋଗ୍ୟ, ହାଙ୍ଗଝୋ ଏସିଆନ ଗେମ୍ସ ପୂର୍ବରୁ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ଖେଳ ପୂର୍ବରୁ ଚାଇନାର ଏକ ନିଷ୍ଠୁର କାର୍ଯ୍ୟ ସାମ୍ନାକୁ ଆସିଥିଲା। ହାଙ୍ଗଝୋ ଏସିଆନ ଗେମ୍ସ ପାଇଁ ଅରୁଣାଚଳ ପ୍ରଦେଶର ତିନି ଜଣ ଖେଳାଳିଙ୍କୁ ଶେଷ ମୁହୂର୍ତ୍ତରେ ଭିସା ପ୍ରତ୍ୟାଖ୍ୟାନ କରିଥିଲା ଚାଇନା।
ଏହି ସମାନ ତିନିଜଣ ଖେଳାଳି ଯିଏକି କିଛି ମାସ ପୂର୍ବରୁ ଚାଇନାରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ଗେମ୍ସରେ ଚାଇନା ଦ୍ୱାରା ଅସଦାଚରଣ ହୋଇଥିଲେ ଏବଂ ସେମାନଙ୍କୁ ଷ୍ଟାପ ଭିସା ଦିଆଯାଇଥିଲା। ଏବେ ପୁଣି ଚାଇନା ଏହି ତିନି ଜଣଙ୍କୁ ଭିସା ଦେଇନାହିଁ। ଏଭଳି ପରିସ୍ଥିତିରେ ଏହି ତିନିଜଣ ଭାରତୀୟ ୱୁସୁ ଦଳ ସହିତ ହାଙ୍ଗଝୋକୁ ଯାଇପାରିବେ ନାହିଁ।
ଏବେ ଏହି ବିଷୟକୁ ନେଇ ପରିବେଶ ଗରମ ହୋଇଯାଇଛ। ଚାଇନାକୁ ଭାରତ ଉପଯୁକ୍ତ ଉତ୍ତର ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଏସିଆନ ଗେମ୍ସ ପାଇଁ ଭାରତର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ପୂର୍ବରୁ ଚୀନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା ହେଲେ ଏବେ ତାହାକୁ ରଦ୍ଦ କରି ଦିଆଯାଇଛି।

Share