Categories: ଜାତୀୟ

ଦଉଡ଼ି ଡିଆଁ ଖେଳିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୯।୮: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ରବିବାର ‘ଫିଟ ଇଣ୍ଡିଆ ମୋବାଇଲ ଆପ’ ଲଞ୍ଚ କରିଛନ୍ତି। ଦୁଇ ବର୍ଷର ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଶେଷ ହେବା ପରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଏହି ଆପ୍‌ ଉନ୍ମୋଚନ କରାଯାଇଥିଲା। ଏହି ସମୟରେ ଅନୁରାଗ ଠାକୁର ନିଜ ଫିଟନେସର ଏକ ନମୁନା ଉପସ୍ଥାପନ କରିଥିଲେ। ଏବଂ ତାଙ୍କ ଦଉଡି ଡେଇଁବା କୌଶଳ ପ୍ରଦର୍ଶନ କରିଥିଲେ। ତାଙ୍କ ହାତରେ ଦଉଡି ନେଇ ଅନୁରାଗ ଠାକୁର ଦୀର୍ଘ ସମୟ ଧରି ଦଉଡି ଡିଆଁ ଖେଳିଥିଲେ। କେନ୍ଦ୍ର ମନ୍ତ୍ରୀ ଏହିପରି ଦଉଡି ଡେଇଁଥିବାର ଦେଖି ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ କରତାଳି ଚିୟର କରିଥିଲେ। ଅନୁରାଗ ଠାକୁର ଦଉଡି ଡିଆଁର ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ କେନ୍ଦ୍ର ମନ୍ତ୍ରୀ କିପରି ନନ ଷ୍ଟପ ଦଉଡି ଡିଆଁ ଖେଳୁଛନ୍ତି। ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ସେମାନଙ୍କୁ କରତାଳି ଦେଇ ଉତ୍ସାହିତ କରୁଛନ୍ତି।
ଆପ ଲଞ୍ଚ ପରେ ଅନୁରାଗ ଠାକୁର କହିଛନ୍ତି ଯେ, ଏହା ଏକ ମାଗଣା ମୋବାଇଲ ଆପ୍ଲିକେସନ, ଯାହା ଫିଟନେସ ଉପରେ ନଜର ରଖିବାରେ ସାହାଯ୍ୟ କରିବ। ଏହା ସହିତ ସେ ଏକ ସ୍ଲୋଗାନ ମଧ୍ୟ ଦେଇଥିଲେ – ଫିଟନେସର ଡୋଜ, ପ୍ରତିଦିନ ଅଧ ଘଣ୍ଟା। ଖେଳାଳିମାନେ ଫିଟ ରହିବା ପାଇଁ ଏହି ଆପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନେ ଏହି ଆପ୍‌ର ନିୟମ କଡାକଡି ଭାବରେ ପାଳନ କରିବେ ବୋଲି ଆଶା କରାଯାଉଛି। ନୂତନ, ଯୁବ ଭାରତକୁ ଫିଟ ରଖିବା ପାଇଁ ଏହା ଏକ ପ୍ରୟାସ। କାରଣ କେବଳ ଜଣେ ଫିଟ ଯୁବକ ଏକ ମହାନ ଭାରତ ସୃଷ୍ଟି କରିପାରିବେ।

Share