Advertisement

ଲଗେଜ୍‌ ହଜାଇ ଦେଲେ ଅନୁଷ୍କା ଶଙ୍କର: ସହାର୍ଯ୍ୟ ପାଇଁ କରିଥିଲେ…

ନୂଆଦିଲ୍ଲୀ,୪ା୧୦: ଖ୍ୟାତନାମା ସିତାର ବାଦକ ଅନୁଷ୍କା ଶଙ୍କର ଜର୍ମାନୀର ବର୍ଲିନ୍‌ରେ ତାଙ୍କ ଲଗେଜ୍‌ ହଜାଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା, ଯାହା ଅନେକ ସୋସିଆଲ ମିଡିଆ ୟୁଜରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବର୍ଲିନର ପିଲାର୍ମୋନିକ୍‌ରେ କନ୍‌ସର୍ଟ ପାଇଁ ସେମାନେ ତାଙ୍କୁ ମିଜ୍‌ରାବ, ମେକ୍‌ଅପ୍‌ ସାମଗ୍ରୀ ଆଦି ଯୋଗାଇଦେଇଥିଲେ।

ୟୁରୋପ୍‌ ଗସ୍ତରେ ଥିବା ଅନୁଷ୍କାଙ୍କର ଶେଷ ପ୍ରଦର୍ଶନ ବୁଧବାର ବର୍ଲିନରେ ଥିଲା। ତେବେ ସେ ସେଠାକୁ ଯିବାବେଳେ ନିଜ ଲଗେଜ୍‌ ହଜାଇ ଦେଇଥିଲେ। ସେଥିରେ ତାଙ୍କର ପୋଷାକ ସମେତ ସିତାର ବାଦନ ପାଇଁ ଆବଶ୍ୟକ ମିଜରାବ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଥିଲା। ଦୟାକରି ଆଜି ରାତିରେ ସିତାର ବଜାଇବା ପାଇଁ କେହି ମିଜ୍‌ରାବ ଉଧାର ଦେଇପାରିବେ କି ବୋଲି ୪୩ ବର୍ଷୀୟା ଅନୁଷ୍କା ସାହାଯ୍ୟ ମାଗିଥିଲେ।

ସିତାର କିମ୍ବଦନ୍ତୀ ପଣ୍ଡିତ ରବି ଶଙ୍କରଙ୍କ ଝିଅ ଅନୁଷ୍କାଙ୍କୁ ଉଧାର ସାମଗ୍ରୀରେ ପ୍ରଦର୍ଶନ କରିବାକୁ ପଡ଼ିଥିଲା। ବର୍ଲିନର କେଉଁ ଷ୍ଟୋରରେ ଭାରତୀୟ ପୋଷାକ ମିଳିବ, ସୋସିଆଲ ମିଡିଆ ୟୁଜରମାନେ ତାଙ୍କୁ ଜଣାଇଥିଲେ। ଅନୁଷ୍କାଙ୍କ ସେଦିନର ପ୍ରଦର୍ଶନ ବହୁତ ଭଲ ହୋଇଥିବା ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଜଣାଇଛନ୍ତି। ଏଥିସହ ସେ ଉକ୍ତ ପ୍ରଦର୍ଶନ ବେଳର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଉଜ୍ଜ୍ୱଳ କଳାରଙ୍ଗର ପୋଷାକ ପିନ୍ଧି ହାତରେ ସିତାର ଧରିଥିବା ଦେଖାଯାଇଛି। ତାଙ୍କୁ ମିଜ୍‌ରାବ ଦେଇଥିବା ସୌରଭ ଶେଖର ବର୍ମାଙ୍କୁ ଏବଂ ସୋସିଆଲ ମିଡିଆକୁ ଅନୁଷ୍କା ଧନ୍ୟବାଦ ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share