ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା- ସ୍ବାମୀ ନିକ୍ ଜୋନାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରିୟଙ୍କା ଏବଂ ନିକ୍ ସରୋଗେସି ମାଧ୍ୟମରେ ନିକଟରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏନେଇ ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ପ୍ରିୟଙ୍କା ସୂଚନା ଦେଇଥିଲେ। ଏହା ପରେ ଅନୁଷ୍କା ପ୍ରିୟଙ୍କାଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରିୟଙ୍କା ଏବଂ ନିକ୍ଙ୍କୁ ଅଭିନନ୍ଦନ ଜଣାଇ ଅନୁଷ୍କା ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ତେବେ ଅଭିନେତ୍ରୀଙ୍କ ଏହି ମନ୍ତବ୍ୟ ତାଙ୍କ ବ୍ୟକ୍ତିଗତ ଅନୁଭୂତି ଦ୍ୱାରା ଅନୁପ୍ରାଣୀତ ହୋଇଥିବା ଜଣାପଡ଼ିଛି।
ଅନୁଷ୍କା ତାଙ୍କ ଇନ୍ଷ୍ଟାଗ୍ରାମରେ ପୋଷ୍ଟ୍ ହୋଇଥିବା ଏକ ନୋଟ୍ରେ ଲେଖିଛନ୍ତି, ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ଙ୍କୁ ଅଭିନନ୍ଦନ। ନିଦ ହୀନ ରାତି, ଅପୂର୍ବ ଆନନ୍ଦ ଏବଂ ପ୍ରେମ ପାଇଁ ପ୍ରସ୍ତୁତ ହୁଅ। କୁନି ପିଲାଟିକୁ ବହୁତ ଭଲପାଇବା। ଅନୁଷ୍କାଙ୍କ ଏହି ପୋଷ୍ଟକୁ ପ୍ରଶଂସକମାନେ ବି ଖୁବ୍ ପସନ୍ଦ କରିଛନ୍ତି।