ଅନୁଷ୍କା ଶେଟ୍ଟୀଙ୍କୁ ‘ହସ ରୋଗ’

ହାଇଦ୍ରାବାଦ, ୨୩।୬: ‘ବାହୁବଲୀ’ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ସ୍ୟୁଡୋବୁଲ୍‌ବାର ଆଫେକ୍ଟ(ପିବିଏ) ନାମକ ଏକ ବିରଳ ‘ହସ ରୋଗ’ରେ ପୀଡ଼ିତ ଅଛନ୍ତି। ଶନିବାର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଅନୁଷ୍କା ଏନେଇ ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ସେ ଏକ ବିରଳ ହସ ରୋଗରେ ପୀଡ଼ିତ ଥିବା କହିଛନ୍ତି। ତାଙ୍କ ପାଇଁ ହସିବା ଏବେ ଏକ ବିରାଟ ସମସ୍ୟାରେ ପରିଣତ ହୋଇଛି। ଯେତେବେଳେ ଥରେ ସେ ହସିବା ଆରମ୍ଭ କରନ୍ତି, ଏହାପରେ ତାଙ୍କପାଇଁ ହସ ବନ୍ଦ କରିବା କଷ୍ଟସାଧ୍ୟ ହୋଇ ପଡ଼ୁଥିବା ଅନୁଷ୍କା କହିଛନ୍ତି। କ୍ରମାଗତ ୧୫ରୁ ୨୦ ମିନିଟ ଧରି ସେ ହସି ରହୁଥିବା ସହ ଏହାକୁ ନିୟନ୍ତ୍ରଣ କରିବା ତାଙ୍କପାଇଁ କଷ୍ଟସାଧ୍ୟ ହୋଇପଡ଼ୁଛି। ତେଣୁ ଫିଲ୍ସ ଶୁଟିଂ ସମୟରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅନୁଷ୍କା କହିଛନ୍ତି। ଖାସ୍‌କରି ବିଭିନ୍ନ କମେଡି ଦୃଶ୍ୟର ଶୁଟିଂ ସମୟରେ ତାଙ୍କୁ ସର୍ବାଧିକ ସମସ୍ୟାର ସାମ୍‌ନା କରିବାକୁ ପଡ଼ୁଛି। କମେଡି ଦୃଶ୍ୟ ଶୁଟିଂ କରିବା ସମୟରେ ତାଙ୍କ ହସ ଯୋଗୁ ଅନେକଥର ଶୁଟିଂ ବନ୍ଦ କରିବାକୁ ପଡ଼ିଥିଲା ବୋଲି ଅନୁଷ୍କା କହିଛନ୍ତି।
ତେବେ ଏହି ବିରଳ ରୋଗ ମଣିଷର ତ୍ରୁଟିପୂର୍ଣ୍ଣ ସ୍ନାୟୁଗତ ଅବସ୍ଥା ଯୋଗୁ ହୋଇଥାଏ। ଡାକ୍ତରୀ ଭାଷାରେ ଏହାକୁ ସ୍ୟୁଡୋବୁଲବାର ପ୍ରଭାବ(ପିବିଏ) କୁହନ୍ତି। ଅଧିକାଂଶ ଲୋକ ଏହି ବିରଳ ରୋଗକୁ ନେଇ ଅବଗତ ନ ଥିବା ଅନୁଷ୍କା କହିଛନ୍ତି। ଏହି ରୋଗ ଯୋଗୁ ଜଣେ ବ୍ୟକ୍ତି ଅନେକଥର କିମ୍ବା ବେଶି ମାତ୍ରାରେ ହସିବା ଆରମ୍ଭ କରିଥାଏ। ଉଭୟ କ୍ଷେତ୍ରରେ ହସକୁ ନିୟନ୍ତ୍ରଣ କରିବା ଉକ୍ତ ବ୍ୟକ୍ତିପାଇଁ କଷ୍ଟସାଧ୍ୟ ହୋଇଥାଏ।

ସାଧାରଣତଃ ଏହି ରୋଗରେ ପୀଡ଼ିତ ବ୍ୟକ୍ତି ମାନେ ସାମାଜିକ ସ୍ତରରେ ବିଚ୍ଛିନ୍ନ ହେବା ସହ ଏକାନ୍ତ ଜୀବନ ବିତାଇବାକୁ ପସନ୍ଦ କରିଥାନ୍ତି। ସେହିପରି ଏହି ରୋଗୀମାନଙ୍କ ସହ ସମାଜରେ ବିଭିନ୍ନ ଲଜ୍ଜାଜନକ ଘଟଣା ଘଟିବାର ଆଶଙ୍କା ରହିଥାଏ।

Share