Categories: ଜାତୀୟ

ମହିଳାରୁ ପୁରୁଷ ହେଲେ ଆଇଆର୍‌ଏସ୍‌ ଅଫିସର

ନୂଆଦିଲ୍ଲୀ,୧୦ା୭:ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ର ଜଣେ ମହିଳା ଅଫିସର ନିଜ ଲିଙ୍ଗ ଓ ନାମ ପରିବର୍ତ୍ତନ କରି ପୁରୁଷ ହୋଇଯାଇଛନ୍ତି। ହାଇଦ୍ରାବାଦର ଏକ୍ସାଇଜ୍‌ ଆଣ୍ଡ୍‌ ସର୍ଭିସ ଟ୍ୟାକ୍ସ ଅପିଲେଟ୍‌ ଟ୍ରିବ୍ୟୁନାଲ (ସିଇଏସ୍‌ଟିଏଟି)ର ଆଞ୍ଚଳିକ ଶାଖାରେ ଜଏଣ୍ଟ କମିଶନର ଭାବେ କାର୍ଯ୍ୟରତ ଏମ୍‌. ଅନୁସୂୟାଙ୍କ ଏହି ପଦକ୍ଷେପକୁ ଅର୍ଥ ମନ୍ତ୍ରଣାଳୟ ସ୍ବୀକୃତି ପ୍ରଦାନ କରିଛି। ଭାରତୀୟ ସିଭିଲ୍‌ ସର୍ଭିସ୍‌ରେ ଏହାକୁ ପ୍ରଥମ ଲିଙ୍ଗ ପରିବର୍ତ୍ତନ ବୋଲି କୁହାଯାଉଛି।
୩୫ ବର୍ଷୀୟା ଏମ୍‌. ଅନୁସୂୟା ଲିଙ୍ଗ ପରିବର୍ତ୍ତନ କରିବା ପରେ ନିଜ ନାମ ଏମ୍‌. ଅନୁକାଥିର ସୂର୍ଯ୍ୟା ରଖିଛନ୍ତି। ଏପରି କି ସେ ସମସ୍ତ ସରକାରୀ ରେକର୍ଡରେ ନୂଆ ନାମରେ ପରିଚିତ ହେବା ପାଇଁ ଅର୍ଥ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ। ମନ୍ତ୍ରଣାଳୟ ଏହାକୁ ଗ୍ରହଣ କରିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ପ୍ରକାଶିତ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଅନୁସୂୟା ୨୦୧୩ ଡିସେମ୍ବରରେ ଚେନ୍ନାଇରେ ଆସିଷ୍ଟାଣ୍ଟ କମିଶନର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୮ରେ ସେ ଡେପୁଟି କମିଶନର ପାହ୍ୟାକୁ ଉନ୍ନିତ ହୋଇଥିଲେ। ଗତବର୍ଷ ତାଙ୍କୁ ସିଇଏସ୍‌ଟିଏଟି ଚିଫ୍‌ କମିଶନରଙ୍କ ଅଫିସରେ ଜଏଣ୍ଟ କମିଶନର ରୂପେ ଅବସ୍ଥାପିତ କରାଯାଇଥିଲା। ଅନୁସୂୟା ମାଡ୍ରାସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ କମ୍ୟୁନିକେଶନ୍‌ରେ ସ୍ନାତକ ଡିଗ୍ରୀ ହାସଲ ପରେ ୨୦୨୩ରେ ଭୋପାଳସ୍ଥିତ ନ୍ୟାଶନାଲ ଲ’ ଇନ୍‌ଷ୍ଟିଚ୍ୟୁଟ୍‌ ୟୁନିଭର୍ସିଟିରୁ ସାଇବର ଲ’ ଏବଂ ସାଇବର ଫରେନ୍‌ସିକ୍ସରେ ପିଜି ଡିପ୍ଲୋମା କରିଥିଲେ।
ପ୍ରକାଶ ଯେ, ୨୦୧୪ ଏପ୍ରିଲ ୧୫ରେ ସୁପ୍ରିମକୋର୍ଟ ନ୍ୟାଶନାଲ ଲିଗାଲ ସର୍ଭିସେସ୍‌ ଅଥରିଟି (ଏନ୍‌ଏଏଲ୍‌ଏସ୍‌ଏ) ମାମଲାରେ ତୃତୀୟ ଲିଙ୍ଗକୁ ସ୍ବୀକୃତି ପ୍ରଦାନ ପୂର୍ବକ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଜଣେ ବ୍ୟକ୍ତି ସେକ୍ସ ରିଆସାଇନ୍‌ମେଣ୍ଟ ସର୍ଜରି (ଏସ୍‌ଆର୍‌ଏସ୍‌) ଦ୍ୱାରା ଅସ୍ତ୍ରୋପଚାର କରାନ୍ତୁ କି ନ କରାନ୍ତୁ ଲିଙ୍ଗଗତ ପରିଚୟ ଏକ ବ୍ୟକ୍ତିଗତ ପସନ୍ଦ। କାରଣ ଭାରତୀୟ ସମ୍ବିଧାନ ତୃତୀୟ ଲିଙ୍ଗୀମାନଙ୍କୁ ସସମ୍ମାନେ ଜୀବନ ଧାରଣର ଅଧିକାର ଦେଇଛି। ସେମାନଙ୍କୁ ସ୍ବୀକୃତି ଦେବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ସର୍ବୋଚ୍ଚ ଅଦାଲତ ସେତେବେଳେ ସ୍ପଷ୍ଟ କରିଥିଲେ।

Share