Categories: ଖେଳ

ଭାରତ, ପାକିସ୍ତାନ ମ୍ୟାଚ୍‌କୁ ନେଇ ଉତ୍କଣ୍ଠା

କଲମ୍ବୋ,୩୦ା୮(ପି.ଟି.): ବହୁ ପ୍ରତୀକ୍ଷିତ ଏସିଆ କପ୍‌ କ୍ରିକେଟ୍‌ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ଏହାକୁ ପ୍ରସ୍ତୁତିର ସିରିଜ୍‌ ଭାବରେ ବିବେଚନା କରାଯାଉଛି। ତେବେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଅତିକମ୍‌ରେ ୩ଟି ଭାରତ ପାକିସ୍ତାନ ମ୍ୟାଚ୍‌ ଦେଖିବାକୁ ମିଳିବ। ମୁଲତାନରେ ବୁଧବାର ଠାରୁ ଷଡରାଷ୍ଟ୍ରୀୟ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳାଯିବ। ନେପାଳ ବିପକ୍ଷରେ ଆୟୋଜକ ପାକିସ୍ତାନ ପ୍ରଥମ ମ୍ୟାଚ୍‌ ଖେଳିବ। ବିଗତ କିଛି ବର୍ଷ ଧରି ଏସିଆ କପକୁ ଏତେଟା ଗୁରୁତ୍ୱ ପ୍ରଦାନ କରା ଯାଉ ନ ଥିଲା। ତେବେ ଦିନିକିଆ ବିଶ୍ୱକପକୁ ମାସେରୁ କମ ସମୟ ରହିଥିବା ବେଳେ ଏହି ଟୁର୍ନାମେଣ୍ଟର ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛି। କେବଳ ନେପାଳକୁ ଛାଡିଦେଲେ ଅନ୍ୟ ସମସ୍ତଙ୍କ ପାଇଁ ଏହି ଟୁର୍ନାମେଣ୍ଟ ଉନ୍ମୁକ୍ତ। ଭାରତ ଓ ପାକିସ୍ତାନ ସହିତ ନେପାଳ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛି। ଅନ୍ୟ ଗ୍ରୁପ୍‌ରେ ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ରହିଛନ୍ତି।
୭ ଥର ଚାମ୍ପିୟନ ଭାରତ ଅଷ୍ଟମ ଥର ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ଗ୍ରୁପ୍‌ ଏରେ ଦଳ ସ୍ଥାନ ପାଇଥିବା ବେଳେ ଏହାର ସୁପର-୪ ପ୍ରବେଶ ନିଶ୍ଚିତ। ଗ୍ରୁପ୍‌ ଷ୍ଟେଜରେ ଦଳ ପାକିସ୍ତାନ ସହିତ ଥରୁଟିଏ ଖେଳିବା ସ୍ପଷ୍ଟ ହୋଇଥିବା ବେଳେ ସୁପର୍‌-୪ରେ ମଧ୍ୟ ଖେଳିବାର ସମ୍ଭାବନା ଅଧିକ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଯଦି ଫାଇନଲରେ ପ୍ରବେଶ କରନ୍ତି ଆଉଥରେ ଏକ ରୋଚକ ମ୍ୟାଚ ଦେଖିବାକୁ ମିଳିବ। ପ୍ରଥମ ମ୍ୟାଚରେ ପାକିସ୍ତାନ ଫେଭରିଟ୍‌ ରହିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ ସେପ୍ଟେମ୍ବର ୨ ତାରିଖରେ ଖେଳାଯିବ। ଭାରତୀୟ ଦଳ ପାକିସ୍ତାନ ଯିବାକୁ ରାଜି ନ ହେବାରୁ ଟୁର୍ନାମେଣ୍ଟଟି ହାଇବ୍ରିଡ୍‌ ମୋଡରେ ଖେଳା ଯାଉଛି। ପାକିସ୍ତାନରେ ୪ ମ୍ୟାଚ ଖେଳଯିବାକୁ ଥିବା ବେଳେ ଫାଇନାଲକୁ ମିଶାଇ ୯ଟି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ। ସେହିପରି ରାହୁଲ ଡ୍ରାଭିଡଙ୍କ ନେତୃତ୍ୱରେ ଟାଇଟଲ ଜିତି ନଥିବା ଭାରତୀୟ ଦଳ ଏହାର ଟାଇଟଲ ମରୁଡି ଶେଷ କରିବାକୁ ପ୍ରୟାସ କରିବ। ଲୋକେଶ ରାହୁଲ ଅନଫିଟ୍‌ ଥିବା ବେଳେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଶେୟସ୍‌ ଆୟର ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି।

Share