ଭିତର ଭଣ୍ଡାରରେ ସୁଡଙ୍ଗ ନେଇ ବଡ଼ ବୟାନ ଦେଲେ ଗଜପତି, କହିଲେ…

ପୁରୀ,୧୮।୭: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦ୍ୱିତୀୟ ଥର ପାଇଁ ଗୁରୁବାର ଖୋଲିଛି। ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସହ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢୀଙ୍କ ସମେତ ୧୧ଜଣିଆ ଟିମ୍‌ର ଉପସ୍ଥିତିରେ ଭଣ୍ଡାର ଖୋଲାଯାଇଛି। ପୁରୀ ଗଜପତି ମହାରାଜଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ତେବେ ଗଜପତି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ଆସିବା ପରେ ଭିତର ଭଣ୍ଡାରରେ କ’ଣ ସବୁ ଦେଖିଲେ ବର୍ଣ୍ଣନା କରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ଯାହା ବି ଗହଣା ଓ ମୂଲ୍ୟବାନ ସାମଗ୍ରୀ ଅଛି, ତାକୁ ଖଟଶେଜ ଘରକୁ ସ୍ଥାନାନ୍ତର କରାଯିବ। ସମସ୍ତ ଅଳଙ୍କାର ସିସିଟିଭି ନଜରରେ ରହିଛି। ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଶେଜଘରେ ତାଲା ପଡିବ। ଆଉ ନିୟମ ମୁତାବକ ଏହାର ଚାବି ସରକାରୀ ଟ୍ରେଜେରୀରେ ରହିବ। ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ। ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ।

ଭିତରେ ଆଉ କିଛି ନାହିଁ ବୋଲି ସ୍ପଷ୍ଟ ହେଲା ପରେ ASIକୁ ହସ୍ତାନ୍ତର କରାଯିବ। ବାହାର ଏବଂ ଭିତର ରତ୍ନଭଣ୍ଡାର ମରାମତି ନିତାନ୍ତ ଆବଶ୍ୟକ। କେଉଁ କାଳରୁ କେବେ ମରାମତି ହୋଇଥିଲା, କେହି ଜାଣନ୍ତି ନାହିଁ। ୧୯୭୧ରୁ ଏଏସଆଇ ଦାୟିତ୍ୱ ନେବା ପରେ ଆଦୌ ମରାମତି ହୋଇନି। ମରାମତି ବେଳେ ନୀତିକାନ୍ତି ଓ ଦର୍ଶନ ଉଭୟ ପ୍ରଭାବିତ ନ ହେବାକୁ ଗୁରୁତ୍ୱ ଦିଆଯିବ। ଏ ସଂପର୍କରେ ଅନୁଧ୍ୟାନ କରି ମୁଖ୍ୟ ପ୍ରଶାସକ ମରାମତି ସମୟ ନିର୍ଦ୍ଧାରଣ କରିବେ। ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଧାରିତ ସମୟରେ ଏଏସଆଇ ମରାମତି କରିବ ବୋଲି ଗଜପତି କହିଛନ୍ତି।

ସେହିପରି ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଥିବା ବହୁତ ଦିନ ହେବ ଚର୍ଚ୍ଚା ହେଉଥିଲା। ଭିତର ଭଣ୍ଡାରରେ ଅନେକ ସୁଡଙ୍ଗ ଥିବା ବରିଷ୍ଠ ସେବାୟତମାନେ ମଧ୍ୟ ମତ ଦେଇଥିଲେ। ତେବେ ସୁଡଙ୍ଗ ଅଛି କି ନାହିଁ ପ୍ରଶ୍ନକୁ ଗଜପତି ଖଣ୍ଡନ କରି ନାହାନ୍ତି। ଏ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି, ଭିତର ରତ୍ନଭଣ୍ଡାରରେ ସୁଡଙ୍ଗ ଅଛି କି ନାହିଁ ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ। ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ। ସୁଡ଼ଙ୍ଗ ବା ଗୁପ୍ତ ଦ୍ବାର କିଛି ଅଛି କି ନାହିଁ ଏଏସଆଇ ଅନୁଧ୍ୟାନ କରିବ। ଏଏସଆଇ ଲେଜର ସ୍କାନିଂ କରି ସୁଡ଼ଙ୍ଗ ଅଛି କି ନାହିଁ ଦେଖିବ।

 

Share