Categories: ଖେଳ

‘ନକ୍‌ଆଉଟ୍‌ ମ୍ୟାଚ୍‌ରେ ଭାରତକୁ କେହି ବି ହରାଇପାରେ’

ଆବୁଧାବି,୨୨।୧୦: ଟି୨୦ ବିଶ୍ୱକପ୍‌ରେ ଭାରତ ଫେଭରାଇଟ୍‌ ଭାବେ ଅଭିଯାନ ଆରମ୍ଭ କରିବ। କିନ୍ତୁ ନକ୍‌ଆଉଟ୍‌ ପର୍ଯ୍ୟାୟରେ ଟିମ୍‌ ଇଣ୍ଡିଆକୁ ଯେକୌଣସି ଦଳ ହରାଇପାରେ। ଏଭଳି ମତ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସିର ହୁସେନ।

ମୋ ମତରେ ଟି୨୦ ଫର୍ମାଟରେ କୌଣସି ଦଳ ଫେଭରାଇଟ୍‌ ନୁହେଁ। ଛୋଟିଆ ଫର୍ମାଟରେ କେତେବେଳେ କିଛି ବି ହୋଇପାରେ। କୌଣସି ଖେଳାଳିଙ୍କ ୭୦ କିମ୍ବା ୮୦ ରନ୍‌ର ପାଳି କିମ୍ବା ୩ ବଲ ମ୍ୟାଚ୍‌ର ମଙ୍ଗ ବଦଳିବା ପାଇଁ ଯଥେଷ୍ଟ। ଏଣୁ ଯେକୌଣସି ଦଳ ନକ୍‌ଆଉଟ୍‌ରେ ଭାରତକୁ ହରାଇପାରେ। କାରଣ ଭାରତ ପାଖରେ ପ୍ଲାନ ବି’ ନାହିଁ। ଯଦି କର ବା ମର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର ବିଫଳ ହୁଏ, ତେବେ ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ। ୨୦୧୯ ଆଇସିସି ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲରେ ଭାରତ ସହ ତାହା ହିଁ ଘଟିଥିଲା। ଏହା ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହେବ ବୋଲି ହୁସେନ ସ୍କାଇ କ୍ରିକେଟକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଆସନ୍ତା ୨୪ ତାରିଖରେ ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।

Share