ମୁମ୍ବାଇ: ଲୋକପ୍ରିୟ ସିରିୟଲ ‘ତାରକ ମେହେଟାକା ଉଲଟା ଚଷମା’ର ନିର୍ମାତାଙ୍କ ଉପରେ ବିବାଦ ଥମିବାର ନାଁ ନେଉନାହିଁ। ତେବେ କିଛିଦିନ ପୂର୍ବରୁ ସୋଡି ଭୂମିକାରେ ଥିବା ଜେନିଫର ମିଷ୍ଟ୍ରି ନିର୍ମାତା ଅସିତ ମୋଦିଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଶୋ’ର ବାବରି ଭୂମିକାରେ ଥିବା ମୋନିକା ଭଦୋରିଆ ମଧ୍ୟ ନିର୍ମାତାଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି।
ଶୋ’ର ସୁଟିଗଂ ସେଟ୍ରେ ତାଙ୍କୁ ଅସଦାଚରଣ କରାଯାଇଥିବା ମୋନିକା ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ଶୋ’ରେ ଲିଡ୍ ଆକ୍ଟ୍ରେସ୍ ଦୟାବେନ ଭୂମିକାରେ ଅଭିନୟ କରୁଥିବା ଦିଶା ଭକାନି ଦୀର୍ଘଦିନ ଧରି ଶୋରୁ ନିଖୋଜ ଅଛନ୍ତି। ସେ ପୁଣିଥରେ ଶୋକୁ ଫେରିବାକୁ ଚାହୁଁ ନାହାନ୍ତି। ଅସିତ ଦିଶାଙ୍କ ସହ ମଧ୍ୟ ଅସଦାଚରଣ କରିଥାଇ ପାରନ୍ତି, ସେଥିଲାଗି ସେ ଫେରିବାକୁ ଚାହୁଁ ନାହାନ୍ତି।
ସେହିପରି ସେ କହିଛନ୍ତି, ଚାକିରୀ ପଳାଇବା ଭୟରେ ଶୋ’ରେ କାମ କରୁଥିବା କୌଣସି କଳାକାର ଅସିତଙ୍କୁ ବିରୋଧ କରୁ ନାହାନ୍ତି। ଶୋ’ର ଅଧିକାଂଶ କଳାକାର ଏନେଇ ଶୋ’କୁ ଛାଡି ସାରିଛନ୍ତି।