ଅପରାଜିତା ଉଠାଇଲେ ରାଜ୍ୟରେ ଖଣି ଦୁର୍ନୀତି ପ୍ରସଙ୍ଗ, କହିଲେ- ନିମ୍ନମାନର ଦର୍ଶାଇ ହୋଇଛି କୋଟି କୋଟି ଟଙ୍କା ହଡ଼ପ

ଭୁବନେଶ୍ବର,୧୬ା୧୨(ବ୍ୟୁରୋ): କୋଭିଡ୍‌ ସମୟରେ ଓଡ଼ିଶାରେ ହୋଇଛି ଖଣି ଦୁର୍ନୀତି । ଉଚ୍ଚମାନର ଖଣିଜକୁ ନିମ୍ନମାନର ଦର୍ଶାଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ଶୁକ୍ରବାର ଲୋକ ସଭାରେ ରାଜ୍ୟରେ ଏହି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ।

ଅପରାଜିତା କହିଛନ୍ତି, ରାଜ୍ୟ ସରକାର ଓଡ଼ିଶାର ଅନେକ ଖଣି ୨୦୨୦-୨୧ ଆର୍ଥିକ ବର୍ଷରେ ନିଲାମ କରିଥିଲେ। ନୂଆ ନିଲାମଧାରୀ ଅନେକ ଖଣିଜକୁ ହଠାତ୍‌ ନିମ୍ନମାନର ଦର୍ଶାଇଥିଲେ। ୨୦୧୯-୨୦ ଆର୍ଥିକ ବର୍ଷରେ ଲୋ ଗ୍ରେଡ୍‌ ଥିଲା ୦.୯%, ବର୍ଷକରେ ତାହା ୨୭.୩% ହୋଇଗଲା। ୨୦୨୨ ଏପ୍ରିଲରେ ୪୨.୩% ଏବଂ ମେ’ରେ ୫୮.୯%କୁ ବୃଦ୍ଧି ପାଇଲା। ଲୋ ଗ୍ରେଡ୍‌ ଦର୍ଶାଇବା ଦ୍ୱାରା ରାଜକୋଷକୁ କ୍ଷତି ହେବା ସହ ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ମଧ୍ୟ କମିଲା। ଏହାଦ୍ୱାରା ଜନକଲ୍ୟାଣକାରୀ କାର୍ଯ୍ୟ ପ୍ରଭାବିତ ହୋଇଛି। ଏହାର ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ମାଇନ୍ସ ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ। କିନ୍ତୁ ରାଜ୍ୟ ସରକାର ତଦନ୍ତ କରିନାହାନ୍ତି କି ରିପୋର୍ଟ ଦେଇନାହାନ୍ତି। ଏଣୁ ତୁରନ୍ତ ରାଜ୍ୟ ସରକାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବାକୁ ଅପରାଜିତା ଦାବି କରିଛନ୍ତି।

Share