Categories: ଜାତୀୟ

ଲୋକ ସଭା ନିର୍ବାଚନ ଲଢିପାରନ୍ତି ଅପର୍ଣ୍ଣା ଯାଦବ, ଦିଲ୍ଲୀରେ ଭାଜପା ନେତାଙ୍କୁ ଭେଟିବା ପରେ ଚର୍ଚ୍ଚା

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସୋମବାର ଦିଲ୍ଲୀରେ ଭାଜପା ନେତାଙ୍କ ସହ ତାଙ୍କର ସାକ୍ଷାତ ପରେ ଏହାକୁ ନେଇ ଅଧିକ ଚର୍ଚ୍ଚା ଜୋର ଧରିଛି। ଅନୁମାନ କରାଯାଉଛି ଯେ ଏହି ସଂପର୍କରେ ଅପର୍ଣ୍ଣା ଯାଦବ ଦିଲ୍ଲୀରେ ପହଞ୍ଚିଛନ୍ତି। ଏଠାରେ ସେ ଦଳର ଜାତୀୟ ସଂଗଠନ ମନ୍ତ୍ରୀ ବି.ଏଲ ସନ୍ତୋଷ ଏବଂ ମହାସଚିବ ସୁନୀଲ ବଂଶଲଙ୍କୁ ଭେଟିଛନ୍ତି। ଯାହା ପରେ ଉତ୍ତରପ୍ରଦେଶ ରାଜନୀତିରେ ଅପର୍ଣ୍ଣା ଯାଦବ ନିର୍ବାଚନ ଲଢିବାର ଚର୍ଚ୍ଚା ତୀବ୍ର ହୋଇଛି। ଏହା ମଧ୍ୟ କୁହାଯାଉଛି, ଅପର୍ଣ୍ଣା ନିଜେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି।

ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଭାଜପା ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ କରିବା ପରେ ଅପର୍ଣ୍ଣା ଯାଦବଙ୍କୁ ଅନ୍ଦରଖାନେ ଫୁଲପୁର ସଂସଦୀୟ ଆସନରୁ ପ୍ରାର୍ଥୀ କରିବା ନେଇ କଳ୍ପନାଜଳ୍ପନା ଚାଲିଥିଲା। ୟୁପି ରାଜନୀତିରେ ତାଙ୍କ ନାମକୁ ନେଇ ଚାଲିଥିବା ଆଲୋଚନା ଆଶ୍ଚର୍ଯ୍ୟଜନକ ବୋଲି କୁହାଯାଉଥିଲା। ଦଳର ଅଧିକାରୀମାନେ ମଧ୍ୟ ଏ ବିଷୟରେ କିଛି କହିବାକୁ ପ୍ରସ୍ତୁତ ନ ଥିଲେ।

Share