ବାବା କି ଢାବାରେ ପହଞ୍ଚିଲେ ବଲିଉଡ୍‌ ଷ୍ଟାର୍‌

ଗତ କିଛିଦିନ ହେବ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି ‘ବାବା କା ଢାବା’। ସୋସିଆଲ ମିଡିଆରେ ‘ବାବା କି ଢାବା’କୁ ନେଇ ଚର୍ଚ୍ଚା ହେବା ପରେ ଏବେ ସେଠାରେ ଲୋକଙ୍କ ଗହଳି ଲାଗିବାରେ ଲାଗିଛି। ଲୋକମାନେ ତାଙ୍କୁ ସହଯୋଗର ହାତ ବଢାଇବା ସହିତ ତାଙ୍କ ବ୍ୟବସାୟରେ ମଧ୍ୟ ତାଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ନିକଟରେ ବଲିଉଡ ଅଭିନେତା ଅପର ଶକ୍ତି ଖୁରାନା ମଧ୍ୟ ‘ବାବା କା ଢାବା’ରେ ପହଞ୍ଚିଥିଲେ। ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର କିଛି ଭିଡିଓ ଏବଂ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ବାବାଙ୍କ ଢାବା ସାମ୍ନାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ବାବା ଢାବାରେ ପନିର୍‌ ଖାଇ ନିଜକୁ ଧନ୍ୟ ମନେ କରୁଛି। ଏମିତି ପନିର୍‌ ସେ ଆଗରୁ କେବେ ଖାଇ ନ ଥିବା ସେ କହିଛନ୍ତି। ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ଜଣେ ବୃଦ୍ଧ ବ୍ୟକ୍ତି ‘ବାବା କା ଢାବା’ ନାମରେ ଏକ ଦୋକାନ ଖୋଲିଛନ୍ତି। ହେଲେ ବର୍ତ୍ତମାନ ସମୟରେ ତାଙ୍କର ବେପାର ଠିକ ଭାବେ ନ ହେଉଥିବାରୁ ସେ ନିଜର ଗୁଜୁରାଣ ମେଣ୍ଟାଇ ପାରୁନାହାନ୍ତି। ଏହି କଥା କହୁ କହୁ ସେ ଭାବବିହ୍ବଳ ହୋଇଯାଇଥିଲେ। ତାଙ୍କର ଏହି ଭିଡିଓକୁ ଜଣେ ବ୍ୟକ୍ତି ଶୁଟିଂ କରି ଏହାକୁ ସୋସିଆଲ ମିଡିଆରେ ଶେୟାର୍‌ କରିଥିଲେ।‘ବାବା କି ଢ଼ାବା’ ନାମରେ ଏହି ଭିଡିଓ ଖୁବ ଭାଇରାଲ ହୋଇଥିଲା। ଏପରିକି ବଲିଉଡ ସେଲିବ୍ରିଟିଙ୍କଠୁ ଆରମ୍ଭ କରି କ୍ରିକେଟରମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ଶେୟାର୍‌ କରିଥିଲେ।

Share