Categories: ଜାତୀୟ

୫୦ ବର୍ଷ ଧରି ଦେଶ ସେବା କରିଥିଲେ ମିସାଇଲ ମ୍ୟାନ, ମୃତ୍ୟୁ ବେଳକୁ ପାଖରେ ଥିଲା ମାତ୍ର ଏତିକି ଜିନିଷ

ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଏପିଜେ ଅବଦୁଲ କଲାମଙ୍କ ଆଜି ୫ମ ଶ୍ରାଦ୍ଧବାର୍ଷିକ। ୨୦୧୫ ମସିହା ଆଜିର ଦିନରେ କଲାମଙ୍କର ଦେହାନ୍ତ ହୋଇଥିଲା। ତାମିଲନାଡୁର ରାମେଶ୍ୱରଠାରେ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ଜନ୍ମ ନେଇଥିଲେ କଲାମ । ଗରିବ ପରିବାରର ଏହି ପିଲାଟି ଦିନେ ସାରାଦେଶ ପାଇଁ ଆଦର୍ଶ ଓ ଗୌରବର ଉଦାହରଣ ପାଲଟି ଯିବ ତାହା ହୁଏତ କେହିବ କଳ୍ପନା କରି ନ ଥିବେ। ପିଲାଟିବେଳୁ ସଂଘର୍ଷରେ ଜୀବନ ଅତିବାହିତ କରିଥିବା କଲାମ ପରବର୍ତ୍ତୀ ସମୟରେ ଭାରତୀୟ ବିଜ୍ଞାନ ଜଗତର ମହାନାୟକ ପାଲଟି ଯାଇଥିଲେ। ଭାରତୀୟ ମହାକାଶ ବିଜ୍ଞାନରେ ତାଙ୍କର ଅତୁଳନୀୟ ଦାନ ପାଇଁ ତାଙ୍କୁ ‘ମିସାଇଲ ମ୍ୟାନ’ ଆଖ୍ୟା ଦିଆଯାଇଥିଲା। ଭାରତର ଅନେକ କ୍ଷେପଣାସ୍ତ୍ରକୁ ସଫଳତାର ଶିଖରରେ ପହଞ୍ଚାଇବା ପଛରେ ଏହି ମହମାନବଙ୍କର ରହିଛି ବିଶେଷ ଭୂମିକା । କଲାମଙ୍କ ଚେଷ୍ଟାରେ ଭାରତ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଗଣାଗଲା। ସରଳ ଜୀବନର ଅଧିକାରୀ ଡକ୍ଟର କଲାମଙ୍କୁ ଲୋକଙ୍କ ରାଷ୍ଟ୍ରପତି ଭାବେ ସମ୍ବୋଧନ କରାଯାଇଥାଏ। ପଚାଶ ବର୍ଷରୁ ଅଧିକ ଦେଶର ସେବା କରିଥିଲେ କଲାମ। ହେଲେ ତାଙ୍କ ପାଖରେ ନା ଥିଲା ନିଜର ଫ୍ରିଜ, ଟିଭି, କାର୍‌ କି ଏୟାର କଣ୍ଡିସନର। କେବଳ ୨୫୦୦ ପୁସ୍ତକ, ଗୋଟାଏ ହାତ ଘଣ୍ଟା, ୬ଟି ସାର୍ଟ, ୪ଟି ଟ୍ରାଉଜର୍‌, ତିନୋଟି ସୁଟ ଓ ହଳେ ଜୋତା ଥିଲା।

Share