ଓ୍ବାଶିଂଟନ,୨୧।୭: ଠିକ୍ ୫୨ ବର୍ଷ ତଳେ। ଅର୍ଥାତ ୧୯୬୯ ମସିହା ଜୁଲାଇ ୨୦। ସମଗ୍ର ମାନବ ଜାତି ପାଇଁ ଗର୍ବର ଦିନ। ପୃଥିବୀର ପ୍ରଥମ ମାନବ ଭାବେ ନିଲ ଆର୍ମଷ୍ଟ୍ରଙ୍ଗ ପାଦ ଦେଇଥିଲେ ଜହ୍ନରେ। ଏହି ଅବସରରେ ନାସା (ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା) ପକ୍ଷରୁ ଇନ୍ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଫଟୋରେ ଅଛି ଜହ୍ନ ଉପରେ ମାନବର ପ୍ରଥମ ପାଦ ଚିହ୍ନ। କ୍ୟାପଶନରେ ଉଲ୍ଲେଖ କରାଯାଇଛି, ୫୨ ବର୍ଷ ତଳେ ଗୋଟିଏ ପାଦଚିହ୍ନ ପୂରା ବିଶ୍ୱକୁ ପ୍ରେରିତ କରିଥିଲା।
ଆର୍ମଷ୍ଟ୍ରଙ୍ଗଙ୍କ ସହ ଏଡଓ୍ବିନ ଆଲଡ୍ରିନ ଓ ମାଇକେଲ କଲିନ୍ସ ଆପୋଲୋ ୧୧ ମିଶନରେ ଜହ୍ନରେ ଅବତରଣ କରିଥିଲେ। ମହାକାଶ କ୍ଷେତ୍ରରେ ଏହା ଥିଲା ମାନବର ଉଲ୍ଲେଖନୀୟ ସଫଳତା।
ତେବେ ଇଗଲ ନାମକ ଲୁନାର ମଡ୍ୟୁଲ ସହ ଜହ୍ନରେ ଓହ୍ଲାଇଥିଲେ ଆର୍ମଷ୍ଟ୍ରଙ୍ଗ ଓ ଆଲଡ୍ରିନ। ଅର୍ବିଟରେ ରହି ଯାଇଥିଲେ କଲିନ୍ସ। ଦୁଇ ମହାକାଶଚାରୀ ଜହ୍ନରେ ଚାଲିବା ସହିତ ସେଠାରୁ ପରୀକ୍ଷା ପାଇଁ ପୃଥ୍ବୀକୁ ପଥର ଆଣିଥିଲେ। ସେମାନେ ସାଥିରେ ନେଇଥିଲେ ଟିଭି କ୍ୟାମେରା। କିଛି ଫଟୋ ଉତ୍ତୋଳନ କରିଥିଲେ। ଫଳରେ ପୂରା ବିଶ୍ୱ ଐତିହାସିକ ଘଟଣା ଦେଖିପାରିବେ। ନାସା ଶେୟାର କରିଥିବା ଫଟୋକୁ ୧୧ ଘଣ୍ଟାରେ ୧୬ ଲକ୍ଷ ଲାଇକ୍ସ ମିଳି ସାରିଲାଣି।