Categories: ଜାତୀୟ

କ୍ଷମା ମାଗିଲେ ବିବେକ ଅବମାନନା

ନୂଆଦିଲ୍ଲୀ,୨୫ା୮: ଆଇନଜୀବୀ ପ୍ରଶାନ୍ତ ଭୂଷଣ ତାଙ୍କର ଦୁଇଟି ବିବାଦୀୟ ଟୁଇଟ୍‌କୁ ନେଇ କ୍ଷମା ମାଗିବେ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟରେ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ଦାଖଲ କରିଥିବା ସତ୍ୟପାଠରେ ପ୍ରଶାନ୍ତ କହିଛନ୍ତି, ତାଙ୍କ ମନ୍ତବ୍ୟ ନ୍ୟାୟାଳୟର ‘ଗଠନମୂଳକ ସମାଲୋଚନା’ ଥିଲା। ସୁପ୍ରିମକୋର୍ଟ ନିଜ ଉତ୍କୃଷ୍ଟ ରେକର୍ଡରୁ ପଥଚ୍ୟୁତ ହେଲେ ମୁହଁ ଖୋଲିବା ଦେଶର ଜଣେ ନାଗରିକ ତଥା ଅଦାଲତର ଅଧିକାରୀ ଭାବେ ତାଙ୍କର କର୍ତ୍ତବ୍ୟ। ତେଣୁ ମନ୍ତବ୍ୟ ପ୍ରତ୍ୟାହାର କରିବା ନିଷ୍ଠାହୀନ କ୍ଷମା ସହ ସମାନ। କ୍ଷମା ମାଗିଲେ ନିଜ ବିବେକ ଓ ସାମ୍ବିଧାନିକ ସଂସ୍ଥାର ଅବମାନନା ହେବ। ଏଥିପାଇଁ ନିଜ ମନ୍ତବ୍ୟର ସେ ଅଟଳ ରହିବେ ବୋଲି ପ୍ରଶାନ୍ତ ଜୋର୍‌ ଦେଇ କହିଛନ୍ତି। ମଙ୍ଗଳବାର ଏହି ପ୍ରସଙ୍ଗରେ ପୁଣି ଶୁଣାଣି ହେବ ବୋଲି ଅଦାଲତ ଜଣାଇଛନ୍ତି।
ସୋମବାର ଦାଖଲ କରିଥିବା ଅତିରିକ୍ତ ଜବାବରେ ପ୍ରଶାନ୍ତ କହିଛନ୍ତି, ସର୍ବୋଚ୍ଚ ଅଦାଲତ କିମ୍ବା କୌଣସି ପ୍ରଧାନ ବିଚାରପତିଙ୍କୁ ବଦନାମ କରିବା ପାଇଁ ନୁହେଁ, ବରଂ ଗଠନମୂଳକ ସମାଲୋଚନା ପାଇଁ ସେ ଟୁଇଟ କରିଥିଲେ। ସମ୍ବିଧାନର ରକ୍ଷକ ଓ ଲୋକଙ୍କ ଅଧିକାରର ପ୍ରହରୀ ଭାବେ ନିଜ ଦୀର୍ଘକାଳୀନ ଭୂମିକାରୁ ଅଦାଲତ କୌଣସି ପ୍ରକାରେ ବିଚ୍ୟୁତ ନ ହେବେ ସେଥିଲାଗି ସେ ସଦ୍ଭାବନାପୂର୍ଣ୍ଣ ଟୁଇଟ୍‌ କରିଥିଲେ। ଉକ୍ତ ଟୁଇଟ୍‌ ଏହି ଅବସରରେ ବିଶ୍ୱାସର ପ୍ରତିନିଧିତ୍ୱ କରିଛି, ଯାହାକି ଆଗକୁ ମଧ୍ୟ ଜାରି ରହିବ। ଜଣେ ନାଗରିକ ଓ ଅଦାଲତର ସଚ୍ଚୋଟ ଅଧିକାରୀ ଭାବେ ତାଙ୍କ ଉଚ୍ଚ ଦାୟିତ୍ୱ ଉପରେ ଆଧାରିତ ଥିଲା। ତେଣୁ କ୍ଷମାମାଗିବା ନିଷ୍ଠାହୀନ। କାହାର ପ୍ରରୋଚନାରେ ନୁହେଁ, ବରଂ ଇମାନଦାର ଭାବେ କ୍ଷମା ମଗାଯିବା ଉଚିତ।
ଆକ୍ଟିଭିଷ୍ଟ ତଥା ଆଇନଜୀବୀ ପ୍ରଶାନ୍ତ ଭୂଷଣ ଗତ ଜୁନ୍‌ ୨୭ ଓ ୨୯ ତାରିଖରେ ଦୁଇଟି ଟୁଇଟ୍‌ କରିଥିଲେ। ପ୍ରଥମ ଟୁଇଟ୍‌ରେ ସେ କହିଥିଲେ, ଭବିଷ୍ୟତରେ ଐତିହାସିକମାନେ ୬ ବର୍ଷ ପଛକୁ ଫେରି ଭାରତରେ ବିନା କୌଣସି ଆନୁଷ୍ଠାନିକ ଜରୁରିକାଳୀନ ପରିସ୍ଥିତିରେ ଗଣତନ୍ତ୍ରକୁ ଧ୍ୱଂସ କରି ଦିଆଯାଇଥିବା ଦେଖିବାକୁ ପାଇଲେ ସେମାନେ ଏଥିରେ ନିର୍ଦ୍ଦିଷ୍ଟ ଭାବେ ସୁପ୍ରିମକୋର୍ଟ ଏବଂ ବିଶେଷକରି ୪ ଜଣ ସିଜେଆଇଙ୍କ ଭୂମିକା ରହିଥିବା ଜାଣିବାକୁ ପାଇବେ। ଏହାର ୨ ଦିନ ପରେ ପ୍ରଶାନ୍ତ ଦ୍ୱିତୀୟ ଟୁଇଟ୍‌ରେ ଉଲ୍ଲେଖ କରିଥିଲେ, ସିଜେଆଇ ଏସ୍‌. ଏ. ବୋବ୍‌ଡେ ନାଗପୁରସ୍ଥିତ ରାଜଭବନରେ ଜଣେ ଭାଜପା ନେତାଙ୍କ ୫୦ ଲକ୍ଷ ଟଙ୍କାର ହାର୍ଲେ ଡେଭିଡ୍‌ସନ ବାଇକ୍‌ରେ ବସିଥିବାବେଳେ ମାସ୍କ କିମ୍ବା ହେଲ୍‌ମେଟ୍‌ ପିନ୍ଧିନାହାନ୍ତି। ଅନ୍ୟପକ୍ଷେ ସେ ସୁପ୍ରିମକୋର୍ଟକୁ ଲକ୍‌ଡାଉନ୍‌ କରି ନାଗରିକମାନଙ୍କୁ ସେମାନଙ୍କ ନ୍ୟାୟ ପାଇବାର ମୌଳିକ ଅଧିକାରରୁ ବଞ୍ଚତ୍ତ କରିଛନ୍ତି! ସୁପ୍ରିମକୋର୍ଟ ଉପରୋକ୍ତ ଦୁଇଟି ଟୁଇଟ୍‌କୁ ନେଇ ଜୁଲାଇ ୨୨ରେ ନିଜଆଡ଼ୁ ମାମଲା ରୁଜୁ କରି ପ୍ରଶାନ୍ତଙ୍କୁ ନୋଟିସ କରିବା ସହ ଅଗଷ୍ଟ ୫ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜବାବ ଦାଖଲ ପରେ ଉକ୍ତ ଦୁଇ ଟୁଇଟ୍‌ ଅଦାଲତ ଅବମାନନା କରୁଛି ବୋଲି ଗତ ୧୪ ତାରିଖରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଗତ ୨୦ ତାରିଖରେ ଦଣ୍ଡବିଧାନ ହେବାକୁ ଥିବାବେଳେ ଏହାର ଦିନକ ପୂର୍ବରୁ ପ୍ରଶାନ୍ତ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ରିଭ୍ୟୁ ପିଟିଶନ୍‌ର ଶୁଣାଣି ନ ହେବା ଯାଏ ତାଙ୍କ ବିରୋଧରେ ଦଣ୍ଡବିଧାନ କରା ନ ଯାଉ ବୋଲି ସେ ଅନୁରୋଧ କରିଥିଲେ।

Share