Advertisement

ଗୋଗୋଇଙ୍କ ବିରୋଧରେ ତଦନ୍ତ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୨।୮(ପି.ଟି.): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟର ବିଚାରପତି ଥିବାବେଳେ ତାଙ୍କ ବ୍ୟବହାରର ତଦନ୍ତ ଲାଗି ତିନିଜଣିଆ ବିଚାରପତି କମିଟି ଗଠନ ଲାଗି ପିଟିଶନ ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଏହି ଆବେଦନକୁ ଶୁକ୍ରବାର ଖାରଜ କରିଦେଇଛନ୍ତି। ଆବେଦନକାରୀ ଦାଖଲ କରିଥିବା ଜନସ୍ବାର୍ଥ ମାମଲାର କୌଣସି ମାନେ ନାହିଁ। ଜଷ୍ଟିସ୍‌ ଗୋଗୋଇ ଅବସର ନେଇସାରିଲେଣି। ଗତ ୨ ବର୍ଷ ମଧ୍ୟରେ ଶୁଣାଣି ପାଇଁ କାହିଁକି ଚାପ ପକାଇ ନ ଥିଲ ବୋଲି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ କ୍ରିଷ୍ଣ ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ। ସୂଚନାଯୋଗ୍ୟ ଜଷ୍ଟିସ୍‌ ଗୋଗୋଇ ସୁପ୍ରିମକୋର୍ଟ ବିଚାରପତି ଥିବା ସମୟରେ କେତେକ ଦାୟିତ୍ୱ ସମ୍ପାଦନ କରିଥିବାବେଳେ ଅନ୍ୟ କେତେକ ପ୍ରସଙ୍ଗରୁ ଓହରିଯାଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ପାଇଁ ଅରୁଣ ରାମଚନ୍ଦ୍ର ହୁବ୍‌ଲିକର ଆବେଦନ କରିଥିଲେ। ତାଙ୍କ ଆବେଦନକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ନିମନ୍ତେ ହୁବ୍‌ଲିକର ପୂର୍ବରୁ ସୁପ୍ରିମକୋର୍ଟ ମହାସଚିବଙ୍କୁ ଅନୁରୋଧ କରିଥିଲେ ହେଁ ତାକୁ ଗ୍ରହଣା କରାଯାଇ ନ ଥିଲା ବୋଲି ଆବେଦନକାରୀ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share