Categories: ଜାତୀୟ

ସେଓକୁ କମଳା ସହିତ ଅବା ନରସଂହାରକୁ ହତ୍ୟା ସହ ତୁଳନା କରାଯାଇ ପାରିବ ନାହିଁ: ବିଲକିସ ବାନୋ ମାମଲାରେ କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧୮।୪ : ବିଲକିସ ବାନୋ ମାମଲାରେ ଦୋଷୀଙ୍କୁ ଖଲାସ କରିବା ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ମେ ୨ ତାରିଖରେ ଶୁଣାଣି କରିବେ। ମଙ୍ଗଳବାର କୋର୍ଟରେ ଗୁଜରାଟ ସରକାର ଦୋଷୀଙ୍କ ରିଲିଜ ସହ ଜଡିତ ଫାଇଲ ଦେଖାଇବାକୁ ନିର୍ଦ୍ଦେଶକୁ ବିରୋଧ କରିଛନ୍ତି। ରାଜ୍ୟ ସରକାର ଯୁକ୍ତି ଦର୍ଶାଇଛନ୍ତି, ଏହି ମୁକ୍ତି କେବଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ହୋଇଥିଲା।

ପୀଡିତା ବିଲକିସ ବାନୋଙ୍କ ବ୍ୟତୀତ ସାମାଜିକ କାର୍ଯ୍ୟକର୍ତ୍ତା ସୁଭାଷିନୀ ଅଲି ଏବଂ ଟିଏମସି ନେତା ମହୁଆ ମୋଇତ୍ର ଏହି ମାମଲାରେ ୧୧ ଜଣ ଦୋଷୀଙ୍କୁ ମୁକ୍ତ କରିବା ନେଇ ଗୁଜରାଟ ସରକାରଙ୍କ ନିର୍ଦ୍ଦେଶକୁ ରଦ୍ଦ କରିବାକୁ ଦାବି କରିଛନ୍ତି।

ଏହି ମାମଲାର ଶୁଣାଣି କରି ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ବେଞ୍ଚ ସରକାରଙ୍କ ନିଷ୍ପତ୍ତି ଉପରେ କଡ଼ା ମନ୍ତବ୍ୟ ଦେଇଛି। କୋର୍ଟ କହିଛନ୍ତି ସେଓକୁ କମଳା ସହିତ ତୁଳନା କରାଯାଇପାରିବ ନାହିଁ। ସେହିଭଳି ନରସଂହାରକୁ ହତ୍ୟା ସହ ତୁଳନା କରାଯାଇପାରିବ ନାହିଁ।

କୋର୍ଟ କହିଛନ୍ତି, ଯେତେବେଳେ ଏପରି ଘୃଣ୍ୟ ଅପରାଧ ଯାହା ସମାଜକୁ ପ୍ରଭାବିତ କରିଥାଏ, ସେତେବେଳେ କୌଣସି କ୍ଷମତା ପ୍ରୟୋଗ କରିବା ସମୟରେ ଜନସାଧାରଣଙ୍କ ସ୍ବର୍ଥକୁ ଧ୍ୟାନରେ ରଖିବା ଉଚିତ। ରାଜ୍ୟ ସରକାର ଏହି ନିଷ୍ପତ୍ତି ସହ କେନ୍ଦ୍ର ସହମତ ହୋଇଛନ୍ତି। ତେଣୁ ଏହାର ଅର୍ଥ ନୁହେଁ ଯେ ରାଜ୍ୟ ସରକାର ତାଙ୍କ ବୁଦ୍ଧି ବିବେକ ପ୍ରୟୋଗ କରିବେ ନାହିଁ।

ଜଷ୍ଟିସ କେ.ଏମ. ଜୋସେଫ ମନ୍ତବ୍ୟ ଦେଇଛନ୍ତି, ଆଜି ବିଲକିସ ବାନୋ, ଆସନ୍ତାକାଲି ତୁମେ କିମ୍ବା ମୁଁ ଏଭଳି ଘଟଣାର ଶିକାର ହୋଇପାରେ । ଏପରି ପରିସ୍ଥିତିରେ ସ୍ଥିର ମାନଦଣ୍ଡ ରହିବା ଉଚିତ। ଯଦି ଆପଣ ଆମକୁ ଏହାର କାରଣ ନ ଦିଅନ୍ତି ତେବେ ଆମେ ଆମର ନିଜର ସିଦ୍ଧାନ୍ତ ନେବୁ ।

Share