ଫଳ ସମସ୍ତଙ୍କର ପ୍ରିୟ। ଏହା ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟପଯୋଗୀ ମଧ୍ୟ। ତେବେ ସବୁ ଫଳ ମଧ୍ୟରେ ସେଓ ସ୍ବତନ୍ତ୍ର। ରୋଗୀ ହୁଅନ୍ତୁ ବା ଭୋଗୀ ସମସ୍ତଙ୍କ ପାଇଁ ଖୋଜା ପଡେ ସେଓ। ତେବେ ଦିନ ଥିଲା ଭାରତର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଏହା ଚାଷ କରାଯାଉଥିଲା। କିନ୍ତୁ ଏବେ ଉନ୍ନତ ଜ୍ଞାନକୌଶଳ ଓ ଚାଷପ୍ରଣାଳୀ ମାଧ୍ୟମରେ ପ୍ରାୟ ସବୁ ଅଞ୍ଚଳରେ ସେଓ ଚାଷ କରାଯାଉଛି। ଯେଉଁଥିରୁ ବାଦ୍ ପଡିନି ଓଡ଼ିଶା। ଏବେ କେତେବର୍ଷ ହେବ ଓଡ଼ିଶାର କେତେଜଣ ଉତ୍ସାହୀ ଯୁବକ ଆରମ୍ଭ କରିଛନ୍ତି କଶ୍ମୀର ସେଓ ଏବଂ ଥାଇଲାଣ୍ଡ ବରକୋଳି ଚାଷ।
ସାଧାରଣରେ ଅନେକଙ୍କ ଧାରଣା ଥାଏ ଯେ ଥଣ୍ଡା ଜଳବାୟୁ ଅଞ୍ଚଳରେ ସେଓ ଚାଷ ଭଲ ହୋଇଥାଏ । ମାତ୍ର ଉଷ୍ମ ଜଳବାୟୁ ଅଞ୍ଚଳରେ ଲଗାଯାଇଥିବା କେତେକ କିସମର ସେଓଗଛରୁ ଏବେ ସେଓ ଉତ୍ପାଦନ ହୋଇପାରୁଛି। ଯେଉଁକ୍ରମରେ ଆସୁଛି ଓଡ଼ିଶାର ବିଭିନ୍ନ ଅଞ୍ଚଳ। କୃଷିବିତ୍ ମାନଙ୍କ ପରାମର୍ଶରେ ସେଓ ଚାଷ କରି ଏମାନେ ବେଶ୍ ଲାଭବାନ ହୋଇପାରୁଛନ୍ତି। କେହି କେହି ସଉକରେ ମଧ୍ୟ ନିଜ ଘର ବାଡିରେ ସେଓ ଚାଷ କରି ଭଲ ଉତ୍ପାଦନ କରିପାରୁଛନ୍ତି। ଆଶା କରାଯାଏ ସମୟ ଆସିବ ଓଡିଶାର ଚାଷୀମାନେ ମଧ୍ୟ ସେଓ ଚାଷ ଉପରେ ନିର୍ଭର କରିପାରିବେ।
କୁଚିଣ୍ଡାରେ ତିନିଭାଇଙ୍କ ସେଓ ଚାଷ-ସେମାନେ ତିନିଭାଇ। ନିଜ ପୈତୃକ ଜମିରେ ଧାନ ଚାଷ କରୁଥିଲେ । ଥରେ ପରସ୍ପର ମିଶି ଚିନ୍ତା କଲେ କିଛି ଗୋଟେ ନୂଆଚାଷ କରିବା ପାଇଁ । ଏଥିପାଇଁ ୟୁଟ୍ୟୁବ୍ରୁ କଶ୍ମୀର ସେଓ ଚାଷ ସମ୍ପର୍କରେ ସବିଶେଷ ତଥ୍ୟ ପାଇଲେ। ଯାହାପରେ ଆରମ୍ଭ କଲେ ସେଓଚାଷ। ସେମାନେ ହେଲେ ସମ୍ବଲପୁର ଜିଲାର ଜମନକିରା ବ୍ଲକ ଅନ୍ତର୍ଗତ କୁଚିଣ୍ଡା ଉପଖଣ୍ଡ ଗମ୍ଭାରୀ ଗ୍ରାମର ଟଙ୍କଧର କଉଡ଼ି, ରଙ୍କଧର କଉଡ଼ି ଓ ଉମାକାନ୍ତ କଉଡ଼ି। ଉମାକାନ୍ତ କୁହନ୍ତି ରାଜ୍ୟ ବାହାରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲି। ମାତ୍ର ପରିବାର ଚଳେଇବା ପାଇଁ ଆବଶ୍ୟକ ପଡ଼ୁଥିବା ଅର୍ଥର ଅଭାବ ରହୁଥିଲା। ସବୁବେଳେ ଅଧିକ କିଛି ରୋଜଗାରପାଇଁ ଚିନ୍ତା କରୁଥିଲି। ଏଥିଯୋଗୁ ଥରେ ୟୁଟ୍ୟୁବ୍ର ସେଓ ଚାଷ ସମ୍ପର୍କରେ କିଛି ଭିଡିଓ ଦେଖିଲି। ଫଳରେ ଏହି ଚାଷପ୍ରତି ମନରେ ଆଗ୍ରହ ସୃଷ୍ଟିହେଲା । ସେଓ ଚାଷ ସମ୍ପର୍କରେ ଅନ୍ୟ ଭାଇମାନଙ୍କ ସହିତ ଆଲୋଚନା କରିଥିଲି। ତା’ପରେ ଅନ୍ଲାଇନରେ କଶ୍ମୀର ଓ ହିମାଚଳର ଏକ କୃଷିକ୍ଷେତ୍ର ସଂସ୍ଥାରୁ ଗୋଟିଏ ସେଓ ଚାରାର ମୂଲ୍ୟ ପ୍ରାୟ ୩୬୭ଟଙ୍କା ହିସାବରେ ପ୍ରାୟ ୫୦ଟି ଚାରା ମଗାଇଥିଲି । ଏହାପରେ ସେଓ ଗଛ ଲଗାଇବାର ପ୍ରଣାଳୀ ଏବଂ ଯତ୍ନ ନେବା ସମ୍ପର୍କରେ ସ୍ଥାନୀୟ ଉଦ୍ୟାନକୃଷି ବିଭାଗ ଅଧିକାରୀଙ୍କ ପରାମର୍ଶ ବି ଲୋଡ଼ିଥିଲି। ଅନ୍ୟପକ୍ଷେ ଗ୍ରାମର ମୁଖିଆ ଆନନ୍ଦ ନାୟକ ଏକ୍ଷେତ୍ରରେ ଉତ୍ସାହିତ କରିବା ସହିତ ସହଯୋଗ ମଧ୍ୟ କରିଥିଲେ। ଫଳରେ ଆମେ ତିନିଭାଇ ମିଶି ପ୍ରାୟ ୫ଏକର ପୈତୃକ ଜମିରେ ସେଓଗଛ ଲଗାଇଥିଲୁ। ଉକ୍ତ କୃଷିସଂସ୍ଥା ତରଫରୁ ଆମକୁ ସୂଚନା ଦେଇଥିଲେ ଯେ ଚାରାଗୁଡ଼ିକ ବଡ଼ଗଛ ହେଲାପରେ ପ୍ରାୟ ୩ବର୍ଷରେ ସେଓ ଫଳିବ। ମାତ୍ର ପ୍ରାୟ୧୭ମାସ ମଧ୍ୟରେ ସେଓଗଛରେ ଫୁଲ ଓ ଫଳ ଆସିଥିଲା। ଏଥିଯୋଗୁ ତିନିଭାଇ ଖୁସି ହୋଇପଡ଼ିଥିଲୁ। ସେଓ ଗଛର ଯତ୍ନ ପାଇଁ ସବୁବେଳେ ୟୁଟ୍ୟୁବ୍ ଏବଂ ଉଦ୍ୟାନ କୃଷି ବିଭାଗ ଅଧିକାରୀଙ୍କ ପରାମର୍ଶ ନେଉଥିଲି। ଏବେ ଗୋଟିଏ ଗୋଟିଏ ଗଛରେ ପ୍ରାୟ ୮ରୁ ୧୦ କି.ଗ୍ରା. ପର୍ଯ୍ୟନ୍ତ ସେଓ ଫଳୁଛି। ମୋର ଧାରଣା ଥିଲା ଯେ କେବଳ ଥଣ୍ଡା ଜଳବାୟୁ ଅଞ୍ଚଳରେ ସେଓ ଫଳିପାରିବ, ମାତ୍ର ଏବେ ଜାଣିପାରିଲି ଉଷ୍ମ ଜଳବାୟୁ (ଓଡ଼ିଶା ମାଟିରେ)ରେ ମଧ୍ୟ ସେଓ ଫଳୁଛି। ଏହି ସଫଳତା ମନକୁ ଅଧିକ ଉତ୍ସାହିତ କରିଛି। ଏଥିଯୋଗୁ ସେଓ ଚାଷରେ ଭଲ ଲାଭବାନ୍ ହୋଇପାରୁଛି। ଅନ୍ୟପକ୍ଷେ ସେଓ ଚାଷ ପାଇଁ ରାଜ୍ୟପାଳଙ୍କଠାରୁ ପୁରସ୍କୃତ ମଧ୍ୟ ହୋଇଛି।
ବିନା ମାଟିରେ ଫଳାଇଲେ ସେଓ- ସେ ଭଲ ପାଆନ୍ତି ବିଭିନ୍ନ ବୃକ୍ଷଲତାକୁ । ଏଥିପାଇଁ ପିଲାଟିଦିନରୁ ତାଙ୍କର ରହିଛି ବିଭିନ୍ନ ବୃକ୍ଷଲତା ପ୍ରତି ଦୁର୍ବଳତା । ଗଛଲତାର ଯତ୍ନ ନେବାରେ ପ୍ରତିଦିନ ସେ କିଛିଘଣ୍ଟା ପରିଶ୍ରମ କରି ଆନନ୍ଦ ପାଆନ୍ତି। ସେହେଲେ ହୃଷୀକେଶ ଦାଶ। ସେ କୁହନ୍ତି, ଗଛଟିଏ ଲଗାଇବା ପାଇଁ ମାଟିର ଆବଶ୍ୟକତା ରହିଛି। ପାଣି, ପବନ ସହିତ ଉପଯୁକ୍ତ ପରିବେଶ ଦରକାର । ମାତ୍ର ବିନା ମାଟିରେ ଛାତ ଉପରେ ବିଭିନ୍ନ ଫଳ ଓ ପନିପରିବା ଗଛ ଲଗାଇ ସଫଳତା ପାଇବାରେ ଏହି ନିଆରା ପ୍ରୟାସ କରିଥିଲି। ଭୁବନେଶ୍ୱର ନୀଳାଦ୍ରିବିହାର ଅଞ୍ଚଳରେ ଆମ ଘର। ଆଜକୁ ପ୍ରାୟ ୩୦ବର୍ଷ ତଳେ ଆମ ଘରେ ମୋ ମା’ ମାଟିକୁଣ୍ଡରେ ବିଭିନ୍ନ ପ୍ରକାରର ଗଛ ଲଗାଇ ତା’ର ଯତ୍ନ ନେଉଥିଲେ । ତାଙ୍କର ଏମିତି କାର୍ଯ୍ୟ ଦେଖି ମୋତେ ପ୍ରେରଣା ମିଳିଥିଲା। । ବିଭିନ୍ନ ଗଛଲତା ଲଗାଇବାର ଅଭ୍ୟାସ ଜାରି ରହିଲା। ମାତ୍ର ମୋର ବିଏ,ଏଲ୍ଏଲ୍ବି ଏବଂ ଏମ୍ଏ,ଏଲ୍ଏଲ୍ବି ପଢ଼ା ସରିଲା ପରେ କିଛିଗୋଟେ ନୂଆକାମ ପାଇଁ ଭାବୁଥିଲି। ବିଭିନ୍ନ ସ୍ଥାନରେ ଆୟୋଜିତ କୃଷିପ୍ରଦର୍ଶନୀ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥାଏ। ଥରେ ୟୁଟ୍ୟୁବ୍ରୁ ଦେଖିଲି ବିନା ମାଟିରେ ବିଭିନ୍ନ ପ୍ରକାରର ଫସଲ ଓ ପନିପରିବା ଚାଷ ହେଉଛି। ଏମିତି ଚାଷ ନିଜେ କିପରି କରିପାରିବି ସେ ଚିନ୍ତା ଘାରିଲା। ୨୦୦୯ ମସିହାରେ ଥରେ ଦିଲ୍ଲୀ ଯାଇଥାଏ। ସେଠାର ଜନତା ମଇଦାନରେ ଏକ କୃଷିପ୍ରଦର୍ଶନୀରେ ଗୋଟିଏ ପ୍ରକଳ୍ପ ଦେଖିଲି । ଯାହା କି ବିନାମାଟିରେ କିପରି ବିଭିନ୍ନ ଫଳ ଓ ପନିପରିବା ଚାଷ ହେଉଛି। ଏହି ପ୍ରକଳ୍ପ ଦେଖି କିଛି ଯୋଜନା କଲି। ଏବଂ ଭୁବନେଶ୍ୱର ଫେରିଲା ପରେ ଏଥିପାଇଁ ଆବଶ୍ୟକ ଉପକରଣ ଯୋଗାଡ଼ କଲି । ସାକ୍ଷୀଗୋପାଳରୁ କୋକ୍ପିଟ୍ ବା ନଡ଼ିଆକତା ଗୁଣ୍ଡ କିଣି ଆଣିଲି । କିଛି ପଲିଥିନ ପ୍ୟାକେଟ, ମାଟି ବା ସିମେଣ୍ଟ କୁଣ୍ଡ ସଂଗ୍ରହ କଲି। ଫର୍ଡଲାଇଟ ଫର୍ମଲାର କେରଳରୁ ଅନ୍ଲାଇନରେ ମଗାଇଲି। ଏହା ପାଣିକୁ ସଂରକ୍ଷଣ କରିପାରେ। ଏହି କୋକ୍ପିଟ୍ ବା ନଡ଼ିଆକତା ଗୁଣ୍ଡ ମାଟିଠାରୁ ହାଲୁକା। ଏଥିରେ ଗଛ ଶୀଘ୍ର ବଢ଼ିପାରେ ଓ ଚେର ବି ଚାରିଆଡ଼କୁ ଯାଇପାରେ । କିଛି ମିନେରାଲ (ପର୍ଲାଇଟ ଭର୍ମିକୁଲାଇଟ)ମିଶ୍ରଣ କରାଯାଇଥାଏ। ଯାହା ପାଣିକୁ ଅବଜର୍ଭ କରିବାରେ ସହାୟକ ହୋଇଥାଏ। ଭୁବନେଶ୍ୱରରେ ଥିବା କେତେକ ନର୍ସରିରୁ ଫଳଗଛ ଚାରା କିଣିଆଣିଲି । ସେସବୁକୁ ଘର ଛାତରେ କୋକ୍ପିଟ୍ କୁଣ୍ଡକୁ ସଜାଇ ରଖିଲି। କିଛି ଜୈବିକ ଖତ, ନିମତେଲ, ପତ୍ରଗୁଣ୍ଡ, କରଞ୍ଜତେଲ ଏବଂ ଫର୍ଲାଇଟ ଫର୍ମକୁଲାର ପକାଇଥିଲି। ଏହାପରେ ଏହି କୁଣ୍ଡରେ ବିଭିନ୍ନ ଫଳଗଛ ଲଗାଇଥିଲି। ଏକ ଭିନ୍ନ ପ୍ରଜାତିର ସେଓ ଗଛ ପାଇଁ ଆବଶ୍ୟକ ପଡ଼ୁଥିବା ତାପମାତ୍ରା ଏଠାରେ ବି ମିଳିପାରିଲା। କିନ୍ତୁ ଏପରି ପ୍ରଣାଳିରେ ସେଓ ଚାଷ ପାଇଁ ହିମାଚଳ ପ୍ରଦେଶରୁ ଜଣେବନ୍ଧୁଙ୍କ ଜରିଆରେ ପ୍ରଥମେ ଦୁଇଟି ସେଓ ଚାରା ଆଣିଥିଲି। ପୁଣେରୁ ଅଙ୍ଗୁର ଚାରା ମଗାଇଲି, ସେହିପରି ହରିୟାଣାରୁ ଷ୍ଟ୍ରବେରି ଚାରା ମଗାଇଥିଲି। ଏକବର୍ଷ ମଧ୍ୟରେ ଏସବୁ ଗଛରେ ଫୁଲ ଫଳ ଆସିଲା। ସୌଖୀନରେ ଲଗାଇଥିବା ଗଛ ମୋର ପରିବାରରେ ଖୁସି ଦେଉଛି। ଅନ୍ୟପକ୍ଷେ ଏମିତି କୋଳିଚାଷ କଟକର ନିଆଳି ଓ ଖୋର୍ଦ୍ଧାର ବୋଲଗଡ଼ ଅଞ୍ଚଳରେ କେତେଜଣ ବ୍ୟକ୍ତି ଚାଷକରିଥିବା ଦେଖିବାକୁ ମିଳେ।
ବୋଲଗଡ଼ରେ ହିମାଚଳ ସେଓ- ଗାଁରେ ରହି ପୈତୃକ ଚାଷଜମିରେ ଧାନ ଚାଷ କରୁଥିଲେ। ଥରେ ସେ ଚିନ୍ତା କଲେ ଆଉ କ’ଣ କଲେ ଭଲ ଦି’ ପଇସା ମିଳିବ। ଏଥିପାଇଁ ସେ ୟୁଟ୍ୟୁବ୍ ଦେଖି ସେଓ ଚାଷପାଇଁ ମନ ବଳାଇଥିଲେ। ସେ ହେଲେ ଖୋର୍ଦ୍ଧା ଜିଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ଭବାନୀପୁର ଗାଁର ଅରୁଣ ନାଏକ । ଅରୁଣ କୁହନ୍ତି, ୨୦୧୯ରେ ଅନ୍ଲାଇନରେ ହିମାଚଳ ପ୍ରଦେଶର ଏକ ସଂସ୍ଥାରୁ ପ୍ରଥମେ ପ୍ରାୟ ୩୪ଟି ସେଓଚାରା ମଗାଇଥିଲି । ଏଥିପାଇଁ ଗୋଟିକର ମୂଲ୍ୟ ଥିଲା ୩୫୦ଟଙ୍କା। ସେଓ ଗଛ ଲଗାଇବା ପାଇଁ ପ୍ରଥମେ ୩ଫୁଟ୍ର ଗଭୀର ଓ ଚଉଡ଼ା ଗାତ ଖୋଳିଥିଲି। ତା’ ପରେ ସେଥିରେ ଉଇ ନ ଲାଗିବା ପାଇଁ ଉଇମରା ଔଷଧ ପକାଇ ମାଟିକୁ ବିଶୋଧନ କରିଥିଲି। ଏହା ପରେ ସେଥିରେ ଗୋବରଖତ ପକାଇଥିଲି। ଆମ ଘରବାରିର ପ୍ରାୟ ୧୦ଗୁଣ୍ଠ ଜମିରେ ବର୍ଷାଦିନେ ୨୬ଟି ସେଓ ଗଛ ଲଗାଇଥିଲି। ପ୍ରତିଗଛର ବ୍ୟବଧାନ ୧୫ଫୁଟ୍ ରହିବା ଉଚିତ। ମାତ୍ର ଆମର ଏଠି ଜାଗା କମ୍ ଥିବାରୁ ପ୍ରାୟ ୫ ଫୁଟ୍ ଦୂରତାରେ ଗଛଗୁଡ଼ିକ ରହିଛି। ପ୍ରଥମେ ୧୭ମାସ ମଧ୍ୟରେ ସବୁଗଛରେ ଫୁଲ ଧରିଥିଲା। ମାତ୍ର ୩ଟି ଗଛରେ ଫଳ ଫଳିଲା। ପ୍ରଥମେ ଫଳିଥିବା ଗୋଟିଏ ସେଓର ଓଜନ ଥିଲା ପ୍ରାୟ ୫୦ଗ୍ରାମ୍ରୁ ୧୦୦ଗ୍ରାମ ରହିଲା। କିନ୍ତୁ ଉକ୍ତ ସଂସ୍ଥା ତରଫରୁ କୁହାଯାଇଥିଲା ଯେ ପ୍ରାୟ ୩ବର୍ଷ ମଧ୍ୟରେ ସବୁଗଛରେ ଫଳ ଆସିବ। ତେବେ ନାଇଣ୍ଟି ନାଇନ(୯୯-ହରିମନ ଶର୍ମା) କିସମର ସେଓ ଆମ ଅଞ୍ଚଳରେ ନୂଆ କରି ଫଳିଥିବାରୁ ଖୁସି ହୋଇଥିଲି। ପ୍ରଥମେ ଆମ ବୋଲଗଡ଼ ଅଞ୍ଚଳରେ ସେଓ ଫଳିଥିବାରୁ ସ୍ଥାନୀୟ ଅଞ୍ଚଳର କେତେଜଣ ଉତ୍ସାହୀ ଯୁବକ ଏଠାର ଗଛରେ ଫଳିଥିବା ସେଓକୁ ଦେଖିବାକୁ ଆସିଥିଲେ। ଏବେ ଗଛଗୁଡ଼ିକୁ ସାଇଜ କରି କିଛି କିଛି ଡାଳକୁ କାଟି ଦେଇଛି। ଆଶାକରିଛି ଆଗାମୀ ଦିନରେ ଅଧିକ ପରିମାଣରେ ସେଓ ଫଳିିବ।
ଗଞ୍ଜାମରେ ଥାଇଲାଣ୍ଡ ବରକୋଳି- ସେ ଜଣେ ପୋଲିସ କର୍ମଚାରୀ ମାତ୍ର ଗାଁରେ ତାଙ୍କର ପରିବାର କିପରି ଚାଷରେ ଅଧିକ ରୋଜଗାର କରିପାରିବେ ସେଥିପାଇଁ ଚିନ୍ତାକଲେ। ସେ ହେଲେ ବି.ରଞ୍ଜନ ପ୍ରଧାନ।ପିତାଙ୍କ ନାମ ବି.ରାମଚନ୍ଦ୍ର ପ୍ରଧାନ, ମା ଶଶି ଦେଇ। ଘର ଗଞ୍ଜାମ ଜିଲା ରମ୍ଭା ଅଞ୍ଚଳର ସାବୁଳିଆ ନିକଟସ୍ଥ ରେଡ଼ି ବାହାଡ଼ାପଲ୍ଲୀ ଗ୍ରାମରେ। ସେ କୁହନ୍ତି, ଗାଁରେ ଆମ ପରିବାରର ସମସ୍ତେ ଚାଷକାମ କରି ଘର ଚାଳାଇଥାନ୍ତି। ଏଥିରେ ମୋର ସହଯୋଗ ରହିଥାଏ। ମାତ୍ର କୋଳି ଚାଷ କରିବା ପାଇଁ ବାପା ମା’ ଓ ଭାଇ ମିଶି ଯୋଜନା କଲୁ। ଏଥିରେ ଅଧିକ ରୋଜଗାର ହୋଇପାରିବ ବୋଲି ଆଶା କରିଥିଲି। ଏଥିପାଇଁ ୨୦୨୧ଫେବୃୟାରୀରେ କୋଲକାତାରୁ ପ୍ରାୟ ୮୦୦ଟି ଥାଇଲାଣ୍ଡ ବରକୋଳି ଚାରା ଆଣିଥିଲି। ପ୍ରାୟ ୨ଏକର ପୈତୃକ ଜମିରେ ଏହି ଥାଇରେଡ କଶ୍ମୀର ଆପଲବେର ( ଥାଇଲାଣ୍ଡ ବରକୋଳି )ଚାଷ କରାଯାଇଛି।ଏଥିପାଇଁ ବଗିଚାରେ ବହୁଳମାତ୍ରାରେ ଥାଇଲାଣ୍ଡ ବରକୋଳି ଫଳିଛି। ୨୦୨୨ ଜାନୁୟାରୀ ୨୦ରୁ କୋଳି ତୋଳିବା ଆରମ୍ଭ କରିଛି। ବଜାର ଦର ୧କିଗ୍ରା ପିଛା ୧୦୦ଟଙ୍କା ରହିଛି।ଏହି କୋଳି ଦେଖିବାକୁ ଛୋଟ ସେଓ ପରି । ଏବେ ଏହି ବଗିଚାକୁ ସ୍ଥାନୀୟ ଅଞ୍ଚଳର ଉତ୍ସାହୀ ଚାଷୀଙ୍କ ଭିଡ଼ ଜମୁଛି।
କୋରାପୁଟରେ ସେଓ ଚାଷ- ଦୁଇଭାଇ ନିଜର ପୈତୃକ ଜମିରେ ବିଭିନ୍ନ ଫସଲ ଚାଷକରି ପରିବାର ଚଳାନ୍ତି। ମାତ୍ର ଏହି ଦୁଇଭାଇ କୋରାପୁଟ ଜିଲାର ସଫଳ ଚାଷୀଭାବେ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ଏମାନେ ହେଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଧୀନ ମାରବାଇଗୁଡ଼ା ଗ୍ରାମର ଶରତ ସାହୁ ଓ ଗୋବିନ୍ଦ ସାହୁ । ଶରତ କୁହନ୍ତି, +୩ ଯାଏ ପଢିଛି। ପ୍ରଥମେ ଚାକିରି ପାଇଁ ଚେଷ୍ଟାକରି ନିରାଶ ହେଲି। ସେତେବେଳେ ପରିବାରର ଅଭାବ ଅସୁବିଧା ଯୋଗୁ ସାନଭାଇ ଗୋବିନ୍ଦ ୧୦ମ ଯାଏ ପଢ଼ିଲା । ତାପରେ ଦୁଇଭାଇ ମିଶି ବିଭିନ୍ନ ଫଳଗଛ ଲଗାଇ ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ପରିବାର ଚଳାଉଥିଲୁ। ଏପରିକି ନିଜ ପ୍ରଚେଷ୍ଟାରେ ଏକ କୃଷକ ସଂଘ ଗଠନ କରିଛୁ। ଏହାକୁ ୨୦୦୩ରେ ସରକାରରୀ ଉଦ୍ୟାନକୃଷି କ୍ଷେତ୍ରରେ ପଞ୍ଜୀକରଣ କରାଯାଇଛି। ଏଥିରେ ପ୍ରାୟ ୮ଜଣ ଅଛନ୍ତି । ସମସ୍ତେ ନର୍ସରିରେ ପରିଶ୍ରମକରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ପ୍ରଥମେ୨୦୦୨ମସିହାରେ ବୋଙ୍ଗଲୁରୁରୁ ୨ଟି ଶିମ୍ଲା ପ୍ରଜାତିର ସେଓ ଚାରା ଆଣିଥିଲି। ଏଥିରେ ସଫଳତା ମିଳିଲା। ଏହାପରେ ଆଉ ୧୨ଟି ଚକ୍ରି ଓ ଶିମଲା ପ୍ରଜାତିର ସେଓ ଚାରା ଆଣିଲି। ଏବେ ସେହି ଗଛରୁ ବର୍ଷକୁ ୨ଥର ଅର୍ଥାତ୍ ଥରକେ ପ୍ରାୟ ୭୦ରୁ ୮୦କିଲୋ ପର୍ଯ୍ୟନ୍ତ ସେଓ ଫଳୁଛି। ସ୍ଥାନୀୟ ଅଞ୍ଚଳରେ ଏହି ସେଓର ମୂଲ୍ୟ ୧କିଗ୍ରା ପ୍ରତି ପ୍ରାୟ ୮୦ରୁ ୧୦୦ଟଙ୍କା ମଧ୍ୟରେ ବିକ୍ରି କରାଯାଉଛିି। ଏଠାରେ ଆମ ଓଡ଼ିଶା ସେଓର ଚାହିଦା ଭଲ ରହିଛି। ଏଥିସହିତ ଆମ୍ବ,ଷ୍ଟବେରି ଆଦି ଅନ୍ୟାନ୍ୟ ଗଛ ଲଗାଇ ସେଥିରୁ ଭଲଫଳ ଆସୁଛି। ଉଦ୍ୟାନ କୃଷିରେ ସଫଳତା ଯୋଗୁ କୃଷକ ସମ୍ମାନ ଓ ପୁରସ୍କାର ମିଳିଛି। ତେବେ ଅନ୍ୟ ଦେଶ ଓ ରାଜ୍ୟରୁ ବିଭିନ୍ନ ଫଳ ଚାରା ସଂଗ୍ରହକରି ଓଡ଼ିଶା ମାଟିରେ ଫଳ ଫଳାଇବାରେ ସକ୍ଷମ ହୋଇପାରିଥିବା ଏମିତି କେତେଜଣ।ଏମାନଙ୍କପରି ଅନେକ ଉତ୍ସାହୀ ଚାଷୀ ଅଛନ୍ତି। ଓଡ଼ିଶାର କେତେକ ଅଞ୍ଚଳରେ କଶ୍ମୀର ସେଓ ଏବଂ ଥାଇଲାଣ୍ଡ କୋଳି ଚାଷହେଉଥିବାରୁ ଏହା ସୁବିଧାରେ ମିଳିପାରିବାର ସମ୍ଭାବନା ସୃଷ୍ଟି କରିପାରିଛି।
-ବନବିହାରୀ ବେହେରା , ଅମିତାଭ ବେହେରା, ପ୍ରଶାନ୍ତ ମିଶ୍ର, ବିରଞ୍ଚତ୍ ନରାୟଣ ଦର୍କା