Categories: ବାଣିଜ୍ୟ

ଦିଲ୍ଲୀରେ ଆପଲ୍‌ ସାକେତ ରିଟେଲ ଷ୍ଟୋର

ନୂଆଦିଲ୍ଲୀ,୨୧।୪: ପ୍ରିମିୟମ ସ୍ମାର୍ଟଫୋନ ତଥା ଆଇଫୋନ ନିର୍ମାତା ଆପଲ୍‌ର ୨ୟ ରିଟେଲ ଷ୍ଟୋର ଗୁରୁବାର ନୂଆଦିଲ୍ଲୀର ସାକେତସ୍ଥିତ ସିଟି ଓ୍ବାକ୍‌ ମଲ୍‌ରେ ‘ଆପଲ୍‌ ସାକେତ’ ରିଟେଲ ଷ୍ଟୋର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆପଲ୍‌ର ସିଇଓ ଟିମ୍‌ କୁକ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆପଲ୍‌ ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଷ୍ଟୋର କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ପ୍ରାୟ ୮୪୧୮ ( ୮୪୧୭.୮୩) ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଉକ୍ତ ଷ୍ଟୋର ଗଢି ଉଠିଛି। ବିଶେଷକରି ଅନ୍ତଃରାଷ୍ଟ୍ରୀୟ ସ୍ତରର ଡିଜାଇନ ଓ ଆକର୍ଷଣୀୟ ପରିବେଶ ମଧ୍ୟରେ ବ୍ରାଣ୍ଡ୍‌ର ସମସ୍ତ ଫୋନ ଓ ଅନ୍ୟାନ୍ୟ ଉତ୍ପାଦକୁ ଭାରତୀୟ ଗ୍ରାହକମାନେ ଅତି ସହଜରେ ପାଇପାରିବେ। ଏ ସମ୍ପର୍କରେ ଟିମ୍‌ କୁକ୍‌ କହିଛନ୍ତି, ଦୀର୍ଘ ୨୫ ବର୍ଷ ପରେ ଆମେ ପ୍ରତ୍ୟକ୍ଷ ଭାବେ ଭାରତୀୟ ବଜାରରେ ପାଦ ଦେଇଛୁ। ଏପରିକି ଆଗାମୀ ଦିନରେ ମଧ୍ୟ ଦେଶର ପ୍ରମୁଖ ସହରଗୁଡିକରେ ବ୍ୟବସାୟିକ କାରବାର ବୃଦ୍ଧି ସମ୍ପର୍କରେ ବ୍ୟାପକ ଯୋଜନା କରୁଥିବା ସେ ମତପ୍ରକାଶ କରିଛନ୍ତି। ସେହିଭଳି ଉକ୍ତ ଷ୍ଟୋରରେ ୧୮ଟି ରାଜ୍ୟର ୭୦ ଜଣ ଅଭିଜ୍ଞ ଓ ଦକ୍ଷ କର୍ମଚାରୀଙ୍କ ସହିତ ୧୫ଟି ଭାଷାରେ ସେବା ଯୋଗାଇଦେବାକୁ ଷ୍ଟୋର ପ୍ରତିଶ୍ରୁତିବଦ୍ଧ ରହିଛି। ଉଲ୍ଲେଖଯୋଗ୍ୟ, ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି) ସ୍ଥିତ ଜିଓ ଓ୍ବାର୍ଲଡ ଡ୍ରାଇଭ ମଲ୍‌ଠାରେ ଆପଲ୍‌ର ୧ମ ରିଟେଲ ଷ୍ଟୋର ଶୁଭାରମ୍ଭ ହୋଇଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Share