Categories: ବାଣିଜ୍ୟ

ଚାଇନାରେ ୬ ପ୍ଲାଣ୍ଟ ବନ୍ଦ କରିବେ ଆପଲ୍‌ ଭେଣ୍ଡର

ନୂଆଦିଲ୍ଲୀ,୩।୮: ଆପଲ୍‌କୁ ଫୋନ ଯୋଗାଣ କରୁଥିବା କମ୍ପାନୀଗୁଡିକ ଚାଇନାରେ ୬ ପ୍ଲାଣ୍ଟ ବନ୍ଦ କରିବେ। ଏହି କମ୍ପାନୀଗୁଡିକ ଭାରତରେ ସେମାନଙ୍କ ମାନୁଫାକ୍‌ଚରିଂ ୟୁନିଟ୍‌ ସ୍ଥାପନ କରିବା ଯୋଜନା ରଖିଛନ୍ତି। ଭାରତୀୟ ବଜାରର ଚାହିଦା ପୂରଣ କରିବା ସହ ବିଦେଶକୁ ଫୋନ ରପ୍ତାନି କରିବା ଲକ୍ଷ୍ୟରେ ଏଠାକୁ ମାନୁଫାକ୍‌ଚରିଂ ୟୁନିଟ ସ୍ଥାନାନ୍ତର କରିବାକୁ କମ୍ପାନୀଗୁଡିକ ନିଷ୍ପତ୍ତି ନେଇଥିବା ଏକ ରିପୋର୍ଟ ସାମ୍ନାକୁ ଆସିଛି। କମ୍ପାନୀଗୁଡିକ ଭାରତରେ ସେମାନଙ୍କ ଉତ୍ପାଦନ ୟୁନିଟ୍‌ କାର୍ଯ୍ୟକ୍ଷମ କରାଇଲେ ଦେଶ ମଧ୍ୟରେ ପ୍ରାୟ ୫୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରିପୋର୍ଟରେ କୁହାଯାଇଛି। ଫୋନ ସହ ଟାବ୍‌ଲେଟ, ଲାପ୍‌ଟପ୍‌ ଏବଂ କମ୍ପ୍ୟୁଟର ମାନୁଫାକ୍‌ଚରିଂ ଲାଗି କମ୍ପାନୀଗୁଡିକ ଯୋଜନା ରଖିଛନ୍ତି। କମ୍ପାନୀଗୁଡିକ ମଧ୍ୟରେ ଓ୍ବିସ୍‌ଟ୍ରନ, ପେଗାଟ୍ରନ, ଫକ୍ସକନ, କୋରିଆର ସାମ୍‌ସଙ୍ଗ, ଡିକ୍ସନ ଲାଭା ଭଳି କମ୍ପାନୀ ରହିଛନ୍ତି। ଭାରତରେ ସ୍ମାର୍ଟଫୋନ ନିର୍ମାଣ ୟୁନିଟ୍‌ ବସାଇବା ଲାଗି ପ୍ରାୟ ୨୨ କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ପେଗାଟ୍ରନ ନାମକ କମ୍ପାନୀ ୧ ହଜାର କୋଟି ଟଙ୍କା ନିବେଶ କରିବା ନେଇ ଯୋଜନା ରଖିଥିବା ରିପୋର୍ଟରୁ ଜଣାପଡିଛି।

Share