Categories: ଜାତୀୟ

ମେଲ୍‌ର ଜବାବ ନ ଦେବାରୁ ଗ୍ରାହକଙ୍କୁ ୧ ଟଙ୍କା କ୍ଷତିପୂରଣ ହେବ ଆପଲ୍‌

ବେଙ୍ଗାଲୁରୁ,୨।୧୦: ମେଲ୍‌ର ଜବାବ ନ ଦେବାରୁ ଗ୍ରାହକଙ୍କୁ ୧ ଟଙ୍କା କ୍ଷତିପୂରଣ ହେବ ଆପଲ୍‌ ଷ୍ଟୋର। ବେଙ୍ଗାଲୁରୁର ଫ୍ରେସର ଟାଉନର ବାସିନ୍ଦା ଆଭେଜ ଖାନଙ୍କୁ ଆପଲ ଷ୍ଟୋର ୧ ଲକ୍ଷ ଟଙ୍କା ଦେବ।
୩୦ ବର୍ଷୀୟ ଆଭେଜ୍‌ ୨୦୨୧ ଆପଲ ଷ୍ଟୋରରୁ ଏକ ଆଇଫୋନ ୧୩ କିଣିଥିଲେ। ସେ ଫୋନ ସହିତ ଏକ ବର୍ଷର ୱାରେଣ୍ଟି ପାଇଥିଲେ। ଏହାକୁ କିଛି ସମୟ ବ୍ୟବହାର କରିବା ପରେ ସେ ବ୍ୟାଟେରୀ ଏବଂ ଆଇଫୋନର ସ୍ପିକର ସହିତ ସମସ୍ୟାର ସମ୍ମୁଖୀନ ହେବାକୁ ଲାଗିଲେ। ଏହାର ସମାଧାନ ପାଇଁ ଆଭେଜ ଫୋନକୁ ଆପଲ ସର୍ଭିସ ସେଣ୍ଟର (ଇନ୍ଦିରାନଗର)କୁ ନେଇଥିଲେ। ସେଠାରେ ତାଙ୍କୁ କୁହାଯାଇଥିଲା ଯେ ଆଇଫୋନ ଶୀଘ୍ର ମରାମତି ହେବ। ଗୋଟିଏ ସପ୍ତାହ ପରେ ସେ ଆପଲ ସେବା କେନ୍ଦ୍ରରୁ ଏକ କଲ ପାଇଥିଲେ, ଯେଉଁଥିରେ ଆଇଫୋନ ଠିକ୍‌ ହୋଇଯାଇଛି ବୋଲି କୁହାଯାଇଥିଲା। ଆଭେଜ ଦୋକାନରେ ପହଞ୍ଚି ଫୋନ ଦେଖିଥିଲେ। କିନ୍ତୁ ପୂର୍ବପରି ଏହା ଖରାପ ଥିଲା। ସେ ଏ ନେଇ ପୁଣି ଅଭିଯୋଗ କରିଥିଲେ। ସେବା କେନ୍ଦ୍ର ତାଙ୍କୁ ଫୋନକୁ ଶୀଘ୍ର ମରାମତି କରି ଫେରସ୍ତ କରିବାକୁ କହିଥିଲେ। ଏହା ପରେ ସେ ୨ ସପ୍ତାହ ପର୍ଯ୍ୟନ୍ତ କୌଣସି କଲ ପାଇ ନ ଥିଲେ। କିଛି ଦିନ ପରେ ସେ ଏକ କଲ ପାଇଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଫୋନ ଭିତରେ ଜେଲି ଭଳି ପଦାର୍ଥ ମିଳିଥିଲା ଏବଂ ଏହା ୱାରେଣ୍ଟିରେ ସହ ଜଡିତ ନ ଥିଲା। ଏହା ପରେ ଆଭେଜ୍‌ ଆପଲ ପ୍ରତିନିଧୀଙ୍କୁ ଅନେକ ଇମେଲ ପଠାଇଲେ କିନ୍ତୁ କୌଣସି ଜବାବ ମିଳି ନ ଥିଲା।
ଆଭେଜ୍‌ ମଧ୍ୟ ଅକ୍ଟୋବର ୨୦୨୨ରେ ଆପଲ ଷ୍ଟୋରକୁ ଏକ ଆଇନଗତ ନୋଟିସ ପଠାଇଥିଲା କିନ୍ତୁ କୌଣସି ପ୍ରତିକ୍ରିୟା ପାଇ ନ ଥିଲେ। ତା’ପରେ ସେ ସ୍ଥାନୀୟ ଜିଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗରେ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି ବେଳେ କୋର୍ଟ ଆପଲକୁ ସୁଧ ସମେତ ୭୯,୯୦୦ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହି କଷ୍ଟଦାୟକ ସମୟ ପାଇଁ ତାଙ୍କୁ ଅତିରିକ୍ତ ୨୦,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share