ଚାଳକ ବିହିନ ଇଲେକ୍ଟ୍ରିକ କାର ନିର୍ମାଣ ପାଇଁ ଆପଲକୁ ଲାଗିବ ୫ ବର୍ଷ

ଲଣ୍ଡନ,୮।୧- ବିଶ୍ୱର ଅନ୍ୟତମ ଟେକନୋଲୋଜି କମ୍ପାନୀ ଆପଲ ଚାଳକ ବିହିନ ଇଲେକ୍ଟ୍ରିକ୍‌ କାର ନିର୍ମାଣ କରିବା ଦିଗରେ କାର୍ଯ୍ୟ କରୁଛି। ଏହି କାର ନିର୍ମାଣ କରିବାକୁ ଆପଲକୁ ଅତିକମ୍‌ରେ ୫ ବର୍ଷ ଲାଗିବ। ବର୍ତ୍ତମାନ ଏହାର କାର୍ଯ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। କାଲିଫର୍ନିଆରେ ପ୍ରତିଷ୍ଠିତ ଟେକ୍‌ନୋଲୋଜି କମ୍ପାନୀର ଏକ ହାର୍ଡଓୟାର ଇନଞ୍ଜିନିୟର ଦଳ କାରର ଡ୍ରାଇଭିଂ ସିଷ୍ଟମ, ଇଣ୍ଟେରିଅର ଓ କାରର ଉପର ଭାଗ ଉପରେ କାର୍ଯ୍ୟ କରୁଛନ୍ତି। ଉନ୍ନତ ମାନର ଚାଳକ ବିହିନ ଡ୍ରାଇଭିଂ ସିଷ୍ଟମ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନୀ। ଏହି ପ୍ରୋଜେକ୍ଟରେ ପୂର୍ବତନ ଟେସ୍‌ଲା କମ୍ପାନୀର କର୍ମଚାରୀଙ୍କୁ ସାମିଲ କରାଯାଇଥିବା ଜଣାପଡ଼ିଛି।

ଏହି କାର ପ୍ରସ୍ତୁତ କରିବା ପାଇଁ ୫ରୁ ୭ ବର୍ଷ ଲାଗିପାରେ। ଏବେ ଏହି ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ଦଳର କିଛି ସଦସ୍ୟ ଓ୍ବାର୍କ ପ୍ରମ ହୋମ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଅନ୍ୟମାନେ ସୀମିତ ସମୟ ପାଇଁ ଅଫିସ ଆସୁଛନ୍ତି। ଏହି କାରଣରୁ କାରକୁ ସମ୍ପୂର୍ଣ୍ଣ ହେବାରେ ଅଧିକ ସମୟ ଲାଗିପାରେ ବୋଲି ଜଣେ ଆପଲ ଇଞ୍ଜିନିୟର କହିଛନ୍ତି।

Share