Categories: ବାଣିଜ୍ୟ

ମୁମ୍ବାଇରେ ଆପଲ୍‌ର ପ୍ରଥମ ରିଟେଲ ଷ୍ଟୋର

ମୁମ୍ବାଇ,୧୯।୪: ପ୍ରିମିୟମ ସ୍ମାର୍ଟଫୋନ ତଥା ଆଇ ଫୋନ ନିର୍ମାତା ଆପଲ’ର ପ୍ରଥମ ରିଟେଲ ଷ୍ଟୋର ମଙ୍ଗଳବାର ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି) ସ୍ଥିତ ଜିଓ ଓ୍ବାଲର୍ଡ ସେଣ୍ଟରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆପଲର ସିଇଓ ଟିମ୍‌ କୁକ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆପଲର ଭିପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ୨୦,୦୦୦ ବର୍ଗଫୁଟ ପରିବ୍ୟାପ୍ତ ୨ମହଲା ବିଶିଷ୍ଟ କୋଠାରେ ଉକ୍ତ ଷ୍ଟୋର ଗଢ଼ି ଉଠିଛି। ବିଶେଷକରି ଅନ୍ତଃରାଷ୍ଟ୍ରୀୟ ସ୍ତରର ଡିଜାଇନ ଓ ଆକର୍ଷଣୀୟ ପରିବେଶ ମଧ୍ୟରେ ବ୍ରାଣ୍ଡ୍‌ର ସମସ୍ତ ଫୋନ ଓ ଅନ୍ୟାନ୍ୟ ଉତ୍ପାଦଗୁଡିକୁ ଭାରତୀୟ ଗ୍ରାହକମାନେ ଅତି ସହଜରେ ପାଇପାରିବେ।
ଏ ସମ୍ପର୍କରେ ଆପଲର ସିଇଓ ଟିମ୍‌ କୁକ୍‌ କହିଛନ୍ତି, ଦୀର୍ଘ ୨୫ ବର୍ଷ ପରେ ଆମେ ପ୍ରତ୍ୟକ୍ଷ ଭାବେ ଭାରତୀୟ ବଜାରରେ ପାଦଦେଇଛି। ଏପରିକି ଆଗାମୀ ଦିନରେ ମଧ୍ୟ ଦେଶର ବିଭିନ୍ନ ପ୍ରମୁଖ ସହରରେ କମ୍ପାନୀର ଷ୍ଟୋର ଶୁଭାରମ୍ଭ ସହିତ ବ୍ୟବସାୟିକ ସମ୍ପ୍ରସାରଣ ଓ କାରବାର ବୃଦ୍ଧି ସମ୍ପର୍କରେ ମଧ୍ୟ ବ୍ୟାପକ ଯୋଜନା କରାଯାଉଛି ବୋଲି ସେ ବିସ୍ତୃତ ମତପ୍ରକାଶ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଆପଲର ସିଇଓ କୁକ୍‌ ମୁକେଶ ଅମ୍ବାନୀଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତକରି ବିଭିନ୍ନ ବିଷୟରେ ଆଲୋଚନା କରିଥିବା ବେଳେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ଏକ ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମର କାର୍ଯ୍ୟକ୍ରମ ରହିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ୨୦ ଏପ୍ରିଲରେ ନୂଆଦିଲ୍ଲୀର ସାକେତସ୍ଥିତ ସିଟି ଓ୍ବାକ ମଲ୍‌ରେ ମଧ୍ୟ କମ୍ପାନୀର ଆଉ ଏକ ରିଟେଲ ଷ୍ଟୋର ଖୋଲିବାକୁ ଯାଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

 

Share