ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ ପାଇଁ ଦାବିପତ୍ର

କେନ୍ଦୁଝର,୨୫ା୩(ସ୍ବ.ପ୍ର.): କେନ୍ଦୁଝର ଭଳି ଆଦିବାସୀବହୁଳ ଏବଂ ଅବିଭାଜିତ ଜିଲାରେ ଆଦିବାସୀ ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ନିମିତ୍ତ ପାଟଣା ବିଧାୟକ ତଥା କେନ୍ଦୁଝର ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ଅନୁସୂଚିତ ଜନଜାତି ବିଭାଗର ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରିବାକୁ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ବିଭାଗୀୟ କମିଶନର ରୁପାରୋଶନ ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ନାୟକ ଲୋକସେବା ଭବନର ମନ୍ତ୍ରୀ ଏବଂ କମିଶନର ପ୍ରକୋଷ୍ଠରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଦାବିପତ୍ର ପ୍ରଦାନ ପରେ ମନ୍ତ୍ରୀ ତାଙ୍କ ଦାବିକୁ ଗୁରୁତର ସହ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦୁଝର ଜିଲାରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ୩୧ଟି ଉଚ୍ଚ ବିଦ୍ୟାଳୟ ଅଛି। ଏଥିରୁ ପ୍ରତିବର୍ଷ ପ୍ରାୟ ୨୫୦୦ ଛାତ୍ରୀଛାତ୍ର ମାଟ୍ରିକ୍‌ ପାସ୍‌ କରୁଥିଲେ ମଧ୍ୟ ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ବିଭାଗ ତରଫରୁ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାହିଁ। ଓଡ଼ିଶାରେ ଏହି ବିଭାଗ ଅଧୀନରେ ୮ଟି ଶିକ୍ଷା ଜୋନ୍‌ ଥିବାବେଳେ କେନ୍ଦୁଝର ଜିଲାରେ ମଧ୍ୟ ଗୋଟିଏ ଜୋନ୍‌ର ମୁଖ୍ୟ କାର୍ଯ୍ୟାଳୟ ଅଛି। ଏହି ଜୋନ୍‌ ଅଧୀନରେ କେନ୍ଦୁଝର, ଯାଜପୁର,କଟକ,କେନ୍ଦ୍ରାପଡ଼ା,ଖୋର୍ଦ୍ଧା,ପୁରୀ,ନୟାଗଡ଼,ଜଗତସିଂହପୁର, ଢେଙ୍କାନାଳ,ଅନୁଗୋଳ ଆଦି ୧୦ ଜିଲା ଅଛି। କିନ୍ତୁ ଏହି ଜୋନ୍‌ରେ ମାତ୍ର ୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯଥା ରାଇଡିହା ଏବଂ ମାଟକାମବେଡାରେ କାର୍ଯ୍ୟ କରୁଛି। ଛାତ୍ରୀଛାତ୍ରଙ୍କ ଡ୍ରପ୍‌ ଆଉଟ୍‌ ହାର କମାଇବା ତଥା ଜିଲାର ଅନୁସୂଚିତ ଜନଜାତି ଓ ଜାତି ଛାତ୍ରୀଛାତ୍ରଙ୍କର ଉଚ୍ଚ ଶିକ୍ଷା ପାଇଁ ପୂର୍ବତନ ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଶୁଆକାଟୀ ଉଚ୍ଚ ବିଦ୍ୟାଳୟ, ବକ୍ସିବାରିଗାଁ ଉଚ୍ଚ ବିଦ୍ୟାଳୟ, ଚିଲିଦା ବାଳିକା ଉଚ୍ଚ ବିଦ୍ୟାଳୟ, ଅସନପାଟ ବାଳିକା ଉଚ୍ଚ ବିଦ୍ୟାଳୟ, ନରଣପୁର ଉଚ୍ଚ ବିଦ୍ୟାଳୟ ଓ ବସନ୍ତପୁର ଉଚ୍ଚ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ଖୋଲିବା ପାଇଁ ବିଭାଗୀୟ ସଚିବଙ୍କୁ ପ୍ରସ୍ତାବ ଦେଇଥିଲେ। ସେହି ପ୍ରସ୍ତାବ ଅନୁସାରେ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନ୍ତ୍ରୀ ଏବଂ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।