Categories: ଜାତୀୟ

ହଜ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ହଟିଲା: ନଭେମ୍ବର ୭ରୁ ୧୦ଯାଏଁ କରିପାରିବେ ଆବେଦନ

ନୂଆଦିଲ୍ଲୀ,୬।୧୧: ହଜ ଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ହଜ କମିଟି ଅଫ୍‌ ଇଣ୍ଡିଆ ପକ୍ଷରୁ ହଜ ଯାତ୍ରା ୨୦୨୧ ପାଇଁ ଆକ୍ସନ ପ୍ଲାନ ଜାରି କରାଯାଇଛି। କିନ୍ତୁ କରୋନା କାଳ ପାଇଁ ଚଳିତ ଥର କିଛି ପରିବର୍ତ୍ତନ କରାଯାଇଛି। ଖୁବ୍‌ଶୀଘ୍ର ଏନେଇ ଗାଇଡ୍‌ଲାଇନ ମଧ୍ୟ ଜାରି କରାଯିବ। ତେବେ ହଜ୍‌ ଯାତ୍ରା ସମୟରେ ସମସ୍ତ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ବର୍ତ୍ତମାନ ଆକ୍ସନ ପ୍ଲାନ ଅନୁସାରେ ହଜ୍‌ ଯାତ୍ରା ପାଇଁ ନଭେମ୍ବର ୭ରୁ ୧୦ଯାଏଁ ଯାତ୍ରୀମାନେ ଅନ୍‌ଲାଇନରେ ଆବେଦନ କରିପାରିବେ। ଜାନୁଆରୀ ୧ ହେଉଛି ଯାତ୍ରୀଙ୍କ ମେଡିକାଲ ସାର୍ଟିଫିକେଟ ଜମା କରିବାର ଶେଷ ତାରିଖ। ମାର୍ଚ୍ଚରେ ୧ଯାଏ ସେମାନେ ନିଜର ପ୍ରଥମ କିସ୍ତି ଜମା କରିପାରିବେ। ଅନ୍ୟପଟେ ଟଙ୍କା ଜମା କରିବାର ଶେଷ ତାରିଖ ରହିଛି ଏପ୍ରିଲ ୨୦୨୧ଯାଏ। ମେ ୧୫-୧୬ରେ ଭ୍ୟାକସିନ୍‌ କ୍ୟାମ୍ପରେ ଯାତ୍ରୀଙ୍କୁ ଭ୍ୟାକସିନ୍‌ ଦିଆଯିବ। ଏହାପରେ ଜୁନ ୨୬ରୁ ହଜ୍‌ ଯାତ୍ରୀ ସାଉଦି ଆରବ ପାଇଁ ଯାତ୍ରା କରିବେ ଏବଂ ଜୁଲାଇ ୧୩ରେ ଶେଷ ଯାତ୍ରୀଙ୍କ ଉଡାଣ ଭରିବ। ସେଠାରୁ ଅଗଷ୍ଟ ୧୪ରେ ଯାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ।

Share