Categories: ଜାତୀୟ

ତଦନ୍ତ ଲାଗି ବରିଷ୍ଠ ଆଇପିଏସ୍‌ ଅଫିସର ନିଯୁକ୍ତ କର

ନୂଆଦିଲ୍ଲୀ,୨୬ା୯: ଉତ୍ତରପ୍ରଦେଶର ମୁଜାଫରନଗରସ୍ଥିତ ଏକ ଘରୋଇ ସ୍କୁଲ୍‌ରେ ଜଣେ ୮ ବର୍ଷର ମୁସଲମାନ ଛାତ୍ରଙ୍କୁ ସହପାଠୀମାନଙ୍କ ଦ୍ୱାରା ଶିକ୍ଷୟିତ୍ରୀ ମାଡ଼ ମରାଇବା ଘଟଣା ଅତ୍ୟନ୍ତ ସାଂଘାତିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର ନିଯୁକ୍ତ କରିବାକୁ ସର୍ବୋଚ୍ଚ ଅଦାଲତ ସୋମବାର ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତକାରୀ ଅଫିସର ତାଙ୍କ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ଜଷ୍ଟିସ ଅଭୟ ଏସ୍‌. ଓକା ଏବଂ ପଙ୍କଜ ମିଥଲଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେବା ସହ ରାଜ୍ୟ ସରକାର ପୀଡ଼ିତ ଛାତ୍ର ଓ ଅନ୍ୟମାନଙ୍କୁ କୌଣସି ପେସାଦାର ପରାମର୍ଶଦାତାଙ୍କ ଦ୍ୱାରା କାଉନ୍‌ସେଲିଂ କରାଇବା ପାଇଁ କହିଛନ୍ତି। ଉତ୍ତରପ୍ରଦେଶ ସରକାର ଶିକ୍ଷା ଅଧିକାର ଆଇନରେ ଥିବା ବ୍ୟବସ୍ଥାଗୁଡ଼ିକର ଅନୁପାଳନରେ ବିଫଳ ହୋଇଥିବା ଏହି ମାମଲାରୁ ଜଣାପଡ଼ିଛି। ଜାତି, ଧର୍ମ ଓ ଲିଙ୍ଗ ନିର୍ବିଶେଷରେ କୌଣସି ଭେଦଭାବ ନ ରଖି ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଉନ୍ନତ ମାନର ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବାକୁ ଶିକ୍ଷା ଅଧିକାର ଆଇନରେ ବ୍ୟବସ୍ଥା ରହିଛି। ସାରା ଦେଶରେ ଥିବା ସ୍କୁଲ୍‌ଗୁଡ଼ିକରେ ଉକ୍ତ ଆଇନ କାର୍ଯ୍ୟକାରୀ ହୋଇଛି କି ନାହିଁ ତାହାର ଏକ ଷ୍ଟାଟସ୍‌ ରିପୋର୍ଟ ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମାମଲାର ଶୀଘ୍ର ବିଚାର ଲାଗି ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଛାତ୍ରଙ୍କୁ ମାଡ଼ ମରାଇବା ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହାର ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ ଲାଗି ଗତ ୬ ତାରିଖରେ ସର୍ବୋଚ୍ଚ ଅଦାଲତ ମୁଜାଫରନଗର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘର ପାଠପଢ଼ା କରି ନ ଥିବାରୁ ଛାତ୍ରଙ୍କ ସମ୍ପ୍ରଦାୟ ନାଁ ନେଇ ଗାଳିଦେବା ସହ ପିଲାମାନଙ୍କ ଦ୍ୱାରା ମାଡ଼ ମରାଇଥିବା ଶିକ୍ଷୟିତ୍ରୀଙ୍କ ବିରୋଧରେ ମୁଜାଫରନଗର ପୋଲିସ ମାମଲା ରୁଜୁ କରିଥିଲା।

Share