Advertisement

ଗ୍ରାହକ ସାଜି ଧରିଲା ସ୍ପେଶାଲ ସ୍କ୍ବାଡ୍‌

ଦେବଗଡ଼,୪।୮(ଡି.ଏନ୍‌.ଏ.): ଦେବଗଡ଼ ଓ ସମ୍ବଲପୁର ଜିଲାରେ ଚାଲିଛି ହନୁମାନ ପଇସା କାରବାର। ବେଆଇନ ହନୁମାନ ପଇସା କାରବାର କରୁଥିବା ୩ଜଣ ବ୍ୟକ୍ତିଙ୍କୁ ଦେବଗଡ଼ ଜିଲା ସ୍ପେଶାଲ ସ୍କ୍ବାଡ୍‌ ପୋଲିସ ଧରିଛି। ସେମାନେ ହେଲେ ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ ଗ୍ରାମର ନରହରି ରାଉତିଆ (୪୯), ରେଙ୍ଗାଳକାନୀ ଗ୍ରାମର ପ୍ୟାରୀମୋହନ ପ୍ରଧାନ (୪୩), ରିଆମାଳ ଥାନା ଅଧୀନ ଅର୍ଗାନ ଗ୍ରାମର ଉପେନ୍ଦ୍ର ମାଝି (୫୮)। ସେମାନଙ୍କ ନିକଟରୁ ୨ଟି ହନୁମାନ ପଇସା, ବାଇକ୍‌, ମୋବାଇଲ ଫୋନ ଏବଂ ନଗଦ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି। ବୁଧବାର ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦେବଗଡ଼ ଏସ୍‌ପି ରାଜକିଶୋର ପାଇକରାୟ ଏନେଇ ସୂଚନା ପ୍ରଦାନ କରିଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଜିଲାରେ ବେଆଇନ ହନୁମାନ ପଇସା କାରବାର ଚାଲୁଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ସଜାଗ ରହିଥିଲେ। ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱ ନେଉଥିବା ଦେବଗଡ଼ ଏସ୍‌ଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ପୂର୍ଣ୍ଣ ପ୍ରସ୍ତୁତି ସହ ହନୁମାନ ପଇସା ବେପାରୀ ନରହରି ରାଉତିଆ, ପ୍ୟାରୀମୋହନ ପ୍ରଧାନ, ଉପେନ୍ଦ୍ର ମାଝିଙ୍କ ସହ ଯୋଗାଯୋଗ କରି ଗ୍ରାହକ ବେଶରେ ଗୋହିରା ଡ୍ୟାମ ନିକଟ ରାସ୍ତାରେ ଛକି ରହିଥିଲେ। ଏଗୁଡ଼ିକୁ ଟଙ୍କା ବଦଳରେ ହସ୍ତାନ୍ତର କରିବା ବେଳେ ସାଦା ପୋଷାକରେ ଥିବା ଏସ୍‌ଡିପିଓ ମହାପାତ୍ରଙ୍କ ସମେତ ସ୍ପେଶାଲ ସ୍କ୍ବାଡ୍‌ର ସଦସ୍ୟମାନେ ସେମାନଙ୍କୁ କାବୁ କରି ଦେବଗଡ଼ ଥାନାକୁ ଆଣିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share