ଝାରସୁଗୁଡ଼ା-ବାରକୋଟ୍‌ ରେଳଲାଇନ ଡିପିଆର୍‌ ପ୍ରସ୍ତୁତିକୁ ମଞ୍ଜୁରୀ

ଭୁବନେଶ୍ବର/ଦେବଗଡ଼,୫ା୮(ସୁନିତ୍‌ ମିଶ୍ର/ଶଶାଙ୍କ ଶେଖର ଝାଙ୍କର): ଶିଳ୍ପ ସମୃଦ୍ଧ ଅଞ୍ଚଳ ଝାରସୁଗୁଡ଼ାରୁ ଦେବଗଡ଼ ଜିଲାର ବାରକୋଟ୍‌ ସହ ସଂଯୋଗ ହେବ ନୂଆ ରେଳଲାଇନ। ୧୬୦ କି.ମି. ବିଶିଷ୍ଟ ଏହି ରେଳଲାଇନ ଲାଗି ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ ଲାଗି ଫାଇନାଲ ଲୋକେଶନ ସର୍ଭେ(ଏଫ୍‌ଏଲ୍‌ଏସ୍‌) କରିବାକୁ ରେଳ ମନ୍ତ୍ରଣାଳୟ ମଞ୍ଜୁର କରିଛିି। ଏହି ପଦକ୍ଷେପ ଦ୍ୱାରା ଦେବଗଡ଼ ଜିଲା ପ୍ରଥମ ଥର ପାଇଁ ରେଳଲାଇନ ସହ ସଂଯୋଗ କରିବାକୁ ଯାଉଛି। ଏହା ଖୁସିର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ ରେଳ ଗମନାଗମନକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ସବୁବେଳେ କାର୍ଯ୍ୟ ଜାରି ରଖିଛନ୍ତି। ଝାରସୁଗୁଡ଼ାରୁ ବାରକୋଟ୍‌ ପର୍ଯ୍ୟନ୍ତ ନୂଆ ରେଳଲାଇନ ତିଆରି କରିବା ଲାଗି ଆନୁଷଙ୍ଗିକ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ କଳ୍ପନାରେ ମୋଦି ସରକାର ଓଡ଼ିଶାକୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦେଇ ଆସୁଛନ୍ତି। ଏହି ରେଳଲାଇନ କାର୍ଯ୍ୟକ୍ଷମ ହେଲେ ଝାରସୁଗୁଡ଼ା ଏବଂ ଦେବଗଡ଼ ଜିଲାରେ ବିକାଶର ନୂଆ ଧାରା ସୃଷ୍ଟି ହେବ। ଏହି ଅଞ୍ଚଳ ରେଳ ଭିତ୍ତିଭୂମି ସହ ଠିକ୍‌ ଭାବେ ଯୋଡ଼ିହେଲେ ଚାଷୀମାନେ ଉପକୃତ ହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ। ଦେବଗଡ଼ ଜିଲାରେ ପର୍ଯ୍ୟଟନର ବିକାଶ ମଧ୍ୟ ତ୍ୱରାନି୍ବତ ହୋଇପାରିବ। ବିଶେଷ ଭାବେ ଦେବଗଡ଼ବାସୀଙ୍କ ଦୀର୍ଘଦିନର ଅପେକ୍ଷାକୁ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର କୃତଜ୍ଞତା ଜଣାଇଛନ୍ତି। ଗତ ଜୁଲାଇ ୧୦ରେ ଦେବଗଡ଼ ଜିଲାର ନାଗରିକ କମିଟିର ଅନୁରୋଧକ୍ରମେ ରେଳମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଧର୍ମେନ୍ଦ୍ର ଚିଠି ଲେଖିଥିଲେ। ସୂଚନାଥାଉ କି, ଦେବଗଡ଼ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଝାରସୁଗୁଡ଼ାରୁ ବାରକୋଟ୍‌ ପର୍ଯ୍ୟନ୍ତ ରେଳଲାଇନ ନେଇ ଅଞ୍ଚଳବାସୀ, ବୃଦ୍ଧିଜୀବୀ ଏବଂ ଜିଲା ନାଗରିକ କମିଟି ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ।

Share