୮ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଅନୁମୋଦନ

ଭୁବନେଶ୍ୱର, ୨୪ା୫(ବ୍ୟୁରୋ):ପିଏମ୍‌ କେୟାର୍ସ ଫଣ୍ଡରୁ ଓଡ଼ିଶାର ୮ ଜିଲାରେ ପ୍ରେସର ସ୍ବିଙ୍ଗ ଆଡଜର୍ପଶନ (ପିଏସ୍‌ଏ) ମେଡିକାଲ ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ ମିଳିଛି। ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଟୁଇଟ୍‌ ଯୋଗେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଛନ୍ତି। ଏହି ସମୟୋପଯୋଗୀ ପଦକ୍ଷେପ ଦ୍ୱାରା ଅନେକ ଲୋକଙ୍କ ଅମୂଲ୍ୟ ଜୀବନ ରକ୍ଷା କରାଯାଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ରାଜ୍ୟର ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୁବର୍ଣ୍ଣପୁର ଜିଲାରେ ଡିଆର୍‌ଡିଓ ଦ୍ୱାରା ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଓଡ଼ିଶାର ବୌଦ୍ଧ ଏବଂ କଟକ ଜିଲାରେ ଡିଆରଡିଓ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରୁଛି। ଅପରପକ୍ଷରେ ଓଡ଼ିଶାର ପ୍ରତ୍ୟେକ ଜିଲାରେ ପିଏସ୍‌ଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ହସ୍ତକ୍ଷେପ ଲୋଡ଼ିଥିବା ପରିପ୍ରେକ୍ଷୀରେ ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ରାୟଗଡ଼ା ଜିଲାରେ ପିଏସ୍‌ଏ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାର ପ୍ରତ୍ୟେକ ଜିଲାରେ କ୍ୟାପଟିଭ୍‌ ମେଡିକାଲ ଅକ୍ସିଜେନ୍‌ ଜେନେରେଶନ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ରାଜ୍ୟର କୋଭିଡ୍‌-୧୯ ବିରୋଧୀ ଲଢ଼େଇକୁ ସଶକ୍ତ କରିବା ସହ ସ୍ବାସ୍ଥ୍ୟ ଆହ୍ବାନଗୁଡ଼ିକୁ ମୁକାବିଲା କରିବା ପାଇଁ ରାଜ୍ୟକୁ ପ୍ରସ୍ତୁତ ରଖିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଗତ ୧୫ ତାରିଖରେ ଓଡ଼ିଶାର ପ୍ରତ୍ୟେକ ଜିଲାରେ ଅନୂ୍ୟନ ଗୋଟିଏ ଲେଖାଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଧର୍ମେନ୍ଦ୍ର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଙ୍କୁ ପତ୍ର ଲେଖିଥିଲେ ା

Share