ଭୁବନେଶ୍ୱର, ୩।୨(ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ଉପସ୍ଥାପନ କରିଥିବା ବଜେଟରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ୯,୭୩୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୮୯ କିଲୋମିଟର ବହୁ ପ୍ରତୀକ୍ଷିତ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳପଥ ପାଇଁ ସର୍ବାଧିକ ୮୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୨୦୨୧-୨୨ରେ ଏହି ପ୍ରକଳ୍ପ ପାଇଁ ୪୨୪.୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସେହିପରି ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ ସିଧାସଳଖ ରେଳସେବା ଯୋଗାଇଦେବା ପାଇଁ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ବୃହତ୍ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଅନ୍ୟପଟେ ଦାବି ତୁଳନାରେ ଓଡ଼ିଶାକୁ ଅଧିକ ଅନୁଦାନ ମିଳିଛି, ଯାହାକି ସର୍ବୋଚ୍ଚ ମଧ୍ୟ। ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ସରକାର କେନ୍ଦ୍ର ନିକଟରେ ରେଳ ପ୍ରକଳ୍ପସମୂହ ପାଇଁ ପ୍ରାୟ ୭,୬୦୦ କୋଟି ଟଙ୍କାର ଦାବି ଉପସ୍ଥାପନ କରିଥିଲେ। ୨୦୨୧-୨୨ ଆର୍ଥିକ ବର୍ଷ ରେଳ ବଜେଟରେ କେନ୍ଦ୍ର ସରକାର ଓଡ଼ିଶାକୁ ୬,୯୯୫.୫୮ କୋଟି ଟଙ୍କା ଅନୁଦାନ ଦେଇଥିଲେ। ଏହା ପୂର୍ବଆର୍ଥିକ ବର୍ଷ ତୁଳନାରେ ୬୦% ଅଧିକ ଥିଲା। ଏହିକ୍ରମରେ ୨୦୨୦-୨୧ରେ ଓଡ଼ିଶା ପାଇଁ ରେଳ ବଜେଟରେ ୪,୩୭୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।୨୦୨୨-୨୩ ବଜେଟରେ ଓଡ଼ିଶା ପାଇଁ କରାଯାଇଥିବା ବ୍ୟୟ ଅଟକଳରେ ନୂତନ ରେଳ ପ୍ରକଳ୍ପ, ପୁରାତନ ପ୍ରକଳ୍ପର ଦୋହରୀକରଣ ଏବଂ ନୂତନ ରେଳଲାଇନ ବିଛାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ସେହିପରି ରେଳ ଭିତ୍ତିଭୂମିର ବିକାଶ ଲାଗି ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୪ବର୍ଷ ଧରି ଅନିଶ୍ଚିତତା ମଧ୍ୟରେ ଥିବା ୨ ନୂଆ ରେଳଲାଇନ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଚଳିତ ବଜେଟରେ ସବୁଜ ସଙ୍କେତ ଦେଇଛନ୍ତି। ୮୦ କିଲୋମିଟର ବିଶିଷ୍ଟ ବାଦାମପାହାଡ଼-କେନ୍ଦୁଝରଗଡ଼ ଏବଂ ୬୨ କିଲୋମିଟର ବିଶିଷ୍ଟ ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂଆ ରେଳଲାଇନ୍ ନିର୍ମାଣ ପାଇଁ ନୂତନ ଭାବେ ସର୍ଭେ କାର୍ଯ୍ୟ ନିମନ୍ତେ ବଜେଟରେ ସ୍ବତନ୍ତ୍ର ଭାବେ ବ୍ୟୟବରାଦ ହୋଇଛି। ଉକ୍ତ ଦୁଇଟି ମାର୍ଗରେ ଉଭୟ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ ଚଳାଚଳ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨୦୧୮ ରେଳ ବଜେଟରେ ଉକ୍ତ ଦୁଇ ପ୍ରକଳ୍ପକୁ ଲାଭଜନକ ନୁହେଁ ବୋଲି ଦର୍ଶାଇ ରେଳ ମନ୍ତ୍ରଣାଳୟ ଅଣଦେଖା କରିଥିଲା।
ସେହିପରି ଅନୁଗୋଳ-ସୁକିନ୍ଦା ରୋଡ୍ (୯୮.୭ କି.ମି.) ରେଳ ପ୍ରକଳ୍ପ ପାଇଁ ୪୭୫ କୋଟି, ପାରାଦୀପ-ହରିଦାସପୁର (୮୨ କି.ମି.) ପାଇଁ ୮୫ କୋଟି, ତାଳଚେର-ବିମଳାଗଡ଼ (୧୫୪ କି.ମି.) ପାଇଁ ୨୫୦ କୋଟି, ଜୟପୁର-ମାଲକାନଗିରି (୧୩୦ କି.ମି.) ପାଇଁ ୧୩.୮ କୋଟି, ଜୟପୁର-ନବରଙ୍ଗପୁର (୩୮କି.ମି.) ପାଇଁ ୮୧ କୋଟି, ନୂଆପଡ଼ା-ଗୁଣୁପୁର-ଥେରୁବାଲି (୭୯.୧୫ କି.ମି.) ନୂଆ ବ୍ରଡ୍ଗେଜ୍ ରେଳଲାଇନ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଖୋର୍ଦ୍ଧା-ବାରଙ୍ଗ (୩୫.କି.ମି) ତୃତୀୟ ରେଳଲାଇନ ପ୍ରକଳ୍ପ ପାଇଁ ୧୬୪ କୋଟି, ଝାରସୁଗୁଡ଼ା-ରେଙ୍ଗାଲି (୨୫.୬ କି.ମି) ପାଇଁ ୧୫ କୋଟି, ସମ୍ବଲପୁର-ଟିଟିଲାଗଡ଼ (୧୮୨ କି.ମି.) ପାଇଁ ୭୯.୫ କୋଟି, ବୃନ୍ଧାମାଳ-ଝାରସୁଗୁଡା ଫ୍ଲାଏଓଭର ପାଇଁ ୨୦ କୋଟି, ବାଂଶପାଣି-ଦୈତାରୀ-ଟମକା-ଯଖପୁରା (୧୮୦କି.ମି.) ପାଇଁ ୧୭୦ କୋଟି, ଡେଲାଙ୍ଗ-ପୁରୀ (୨୮.୭ କି.ମି.) ପାଇଁ ୧ ହଜାର କୋଟି, ସମ୍ବଲପୁର-ତାଳଚେର (୧୭୪.୧୧ କି.ମି.) ପାଇଁ ୧୭୨ କୋଟି, ସମ୍ବଲପୁର-ଟିଟିଲାଗଡ଼ ରେଳଲାଇନ ଦୋହରୀକରଣ ପ୍ରକଳ୍ପ ପାଇଁ ୯୯ କୋଟି, ଝାରସୁଗୁଡ଼ା-ବିଳାସପୁର ଚତୁର୍ଥ ଲାଇନ ପାଇଁ ୭୧୭ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୩୫୧ କୋଟି, ଜଗଦଲପୁର-କୋରାପୁଟ ପ୍ରକଳ୍ପ ପାଇଁ ୧୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ଯାତ୍ରୀ ସୁରକ୍ଷା ପାଇଁ ୩୦୪.୧୭ କୋଟି ବ୍ୟୟବରାଦ କରାଯାଇଛି।
ଅନୁରୂପ ଭାବେ ଧୋଲତାପାହାଡ଼-ବଡ଼ବିଲ (୭୧.୬ କି.ମି.), ରାଉରକେଲା-ବଣ୍ଡମୁଣ୍ଡା (୧୦ କି.ମି.), କିରିବୁର-ବଡ଼ବିଲ (୨୪.୫୦ କି.ମି.), ଧୋଲତାପାହାଡ଼-ନୟାଗଡ଼ ଭାୟା ସାନିନ୍ଦପୁର ଖଣି (୪୫ କି.ମି)ର ନୂଆ ରେଳପଥ ନିର୍ମାଣ ପାଇଁ ଚୂଡ଼ାନ୍ତ ସର୍ଭେ ନିମନ୍ତେ ବଜେଟରେ ଅର୍ଥ ମଞ୍ଜୁର ହୋଇଛି। ରାଉରକେଲା, ବୀରମିତ୍ରପୁରଠାରେ ଦୁଇଟି ରେଲୱେ ଫ୍ଲାଏଓଭର, ରାଉରକେଲା-ବଙ୍ଗମୁଣ୍ଡା ମଧ୍ୟରେ ପଞ୍ଚମ ରେଳଲାଇନ୍ ନିର୍ମାଣ ନିମନ୍ତେ ମଧ୍ୟ ବଜେଟରେ ବ୍ୟବସ୍ଥା କରାଯାଇଛି। ସେହିପରି ୧୫୫ କି.ମି. ଦୀର୍ଘ ନାରାୟଣଗଡ଼-ଭଦ୍ରକ ମଧ୍ୟରେ ତୃତୀୟ ରେଳଲାଇନ୍ ନିର୍ମାଣ ପାଇଁ ଚୂଡ଼ାନ୍ତ ସର୍ଭେ କାର୍ଯ୍ୟ ପାଇଁ ବ୍ୟୟବରାଦ ହୋଇଛି। ଦୀଘା-ରୂପସା ଭାୟା ବାଲିଆପାଳ (୫୮କି.ମି.) ଦେଇ ନିର୍ମିତ ନୂଆ ରେଳପଥରେ ଯାତ୍ରୀବାହୀ ଟ୍ରେନ୍ ଗଡ଼ିବା ନିମନ୍ତେ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି। ବାଙ୍ଗିରିପୋଷି-ଦେଓଘର ଭାୟା ବାଦାମପାହାଡ଼ ଓ ଚମ୍ପୁଆ ମଧ୍ୟରେ ୧୧୦ କିମିର ନୂଆ ରେଳମାର୍ଗ, ଟାଟା-ଝାରସୁଗୁଡ଼ା ମଧ୍ୟରେ ଚତୁର୍ଥ ରେଳମାର୍ଗ ପାଇଁ ସର୍ଭେ କାର୍ଯ୍ୟକୁ ବଜେଟରେ ମଞ୍ଜୁରୀ ମିଳିଛି। ଏସବୁ ବ୍ୟତୀତ ଝାରସୁଗୁଡ଼ା-ଚମ୍ପା-ବିଳାସପୁରର ୬୦କିମି ମାର୍ଗରେ ରେଳଲାଇନ୍ ନିର୍ମାଣ ପାଇଁ ୬୦କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ରେଳବଜେଟରେ ଓଡ଼ିଶାକୁ ଅଦ୍ୟାବଧି ମିଳିଥିବା ଅନୁଦାନ ସର୍ବୋଚ୍ଚ ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗ ତୁଳନାରେ କମ୍ ମିଳିଛି। ସେହିପରି ସମ୍ପ୍ରତି ନିର୍ବାଚନର ସମ୍ମୁଖୀନ ହେଉଥିବା ଉତ୍ତରପ୍ରଦେଶକୁ ମିଳିଛି ସର୍ବାଧିକ ଅନୁଦାନ। ପଶ୍ଚିମବଙ୍ଗକୁ ୧୦ ହଜାର ୨୬୨ କୋଟି ଟଙ୍କା ମିଳିଥିବାବେଳେ ଉତ୍ତରପ୍ରଦେଶକୁ ମିଳିଛି ୧୪ ହଜାର ୭୬୧ କୋଟି ଟଙ୍କା।