Categories: ଜାତୀୟ

ଓଡ଼ିଶାର ୩୧ ରେଳଷ୍ଟେଶନରେ ଓଏସ୍‌ଓପି ଆଉଟଲେଟ୍‌କୁ ମଞ୍ଜୁରୀ

ନୂଆଦିଲ୍ଲୀ, ୧୩ା୫: ସ୍ବଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଏବଂ ବଞ୍ଚତ୍ତ ବର୍ଗଙ୍କ ଅତିରିକ୍ତ ଆୟ ସୁଯୋଗ ସୃଷ୍ଟି ନିମନ୍ତେ ଓଡ଼ିଶାର ୩୧ଟି ରେଳଷ୍ଟେଶନରେ ଓ୍ବାନ ଷ୍ଟେଶନ ଓ୍ବାନ୍‌ ପ୍ରଡକ୍ଟ (ଓଏସ୍‌ଓପି) ଯୋଜନାରେ ଆଉଟଲେଟ୍‌ ଖୋଲିବା ପାଇଁ ରେଳ ମନ୍ତ୍ରଣାଳୟ ଅନୁମତି ଦେଇଛି। ଏହି ଷ୍ଟେଶନଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, ପୁରୀ, କଟକ, ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଢେଙ୍କାନାଳ, ରାଉରକେଲା, ରାୟଗଡ଼ା, ଖୋର୍ଦ୍ଧାରୋଡ, ଝାରସୁଗୁଡ଼ା, ହୀରାକୁଦ, ବରଗଡ଼ ରୋଡ। ରାଗି କୁକିଜ୍‌, ରାଗି ବିସ୍କୁଟ, ରାଗି ଗାଣ୍ଠିଆ, କଙ୍ଗୁ କୁକିଂ, ପାର୍ଲ ମିଲେଟ କୁକିଂ ଓ କତା ସାମଗ୍ରୀ ଏହି ଆଉଟଲେଟ୍‌ ଗୁଡ଼ିକରେ ବିକ୍ରି ପାଇଁ ଉପଲବ୍ଧ ହେଉଛି। ୨୦୨୨ ମାର୍ଚ୍ଚ ୨୫ରେ ଏହି ଯୋଜନାରେ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ମେ’ ୧ ସୁଦ୍ଧା ୨୧ ରାଜ୍ୟ ଓ ୩ କେନ୍ଦ୍ରଶାସିତ ଅଞ୍ଚଳର ୭୨୮ ରେଳଷ୍ଟେଶନରେ ୭୮୫ ଓଏସ୍‌ଓପି ଆଉଟଲେଟ୍‌ ଖୋଲାଯାଇଛି। ଏହି ଆଉଟଲେଟ୍‌ଗୁଡ଼ିକରୁ ୨୫,୧୦୯ ଜଣ ସିଧାସଳଖ ଉପକୃତ ହେଉଥିବା ନେଇ ମନ୍ତ୍ରଣାଳୟ ସୂଚନା ଦେଇଛି। କେନ୍ଦ୍ର ସରକାରଙ୍କ ‘ଲୋକାଲ ଫର୍‌ ଭୋକାଲ’ ଦୂରଦୃଷ୍ଟିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା। ଓଏସ୍‌ଓପିର ଆଉଟଲେଟ୍‌ଗୁଡ଼ିକରେ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତି, ବୁଣାକାରଙ୍କ ହସ୍ତତନ୍ତ ସାମଗ୍ରୀ ଏବଂ କାଠ ଖୋଦେଇ ଉପକରଣ, ପୋଷାକ, ମସଲାଯୁକ୍ତ ଚା’, କଫି ଏବଂ ଅନ୍ୟ ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟସାମଗ୍ରୀ ବିକ୍ରି ପାଇଁ ଉପଲବ୍ଧ ହେଉଛି।

Share