ଆବେଦନର ୩୦ ଦିନ ମଧ୍ୟରେ ୫୦ ହଜାର ଟଙ୍କା କରୋନା ମୃତ୍ୟୁ ସହାୟତାକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୪।୧୦: କରୋନା ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଆବେଦନ କରିବାର ୩୦ ଦିନ ମଧ୍ୟରେ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ମଞ୍ଜୁରୀ ମିଳିଛି। କରୋନା ମହାମାରୀ ଯୋଗୁ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଆବେଦନ କରିବାର ୩୦ ଦିନ ମଧ୍ୟରେ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ମଞ୍ଜୁରୀ ମିଳିଛି। ସମ୍ପୃକ୍ତ ପରିବାରଙ୍କୁ ୫୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ।

ଏହି ଅନୁକମ୍ପାମୂଳକ କ୍ଷତି ପୂରଣ ଅନ୍ୟ କଲ୍ୟାଣ ଯୋଜନାଠାରୁ ଅଲଗା ରହିବ ବୋଲି ଶୀର୍ଷ କୋର୍ଟ କହିଛନ୍ତି। ଏହାକୁ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ପ୍ରଦାନ କରାଯିବ।

୨୩ ସେପ୍ଟେମ୍ବରରେ ଏହି ମାମଲାର ବିଚାର କରୁଥିବା ବିଚାରପତି ଏମ୍‌.ଆର୍‌. ଶାହା ଏବଂ ଏ.ଏସ୍‌. ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ। ଏହା ପୂର୍ବରୁ ୩୦ ଜୁନ୍‌ରେ ସର୍ବୋଚ୍ଚ ନ୍ୟାୟାଳୟ ୫୦ ହଜାର କ୍ଷତିପୂରଣ ଦେବାକୁ କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତଙ୍କୁ କ୍ଷତି ପୂରଣ ପ୍ରଦାନ କରିବା ସରକାରଙ୍କ କର୍ତ୍ତବ୍ୟ ବୋଲି କୋର୍ଟ କହିଥିଲେ।

ମୃତ୍ୟୁ ପ୍ରମାଣ ପତ୍ରରେ ମୃତ୍ୟୁର କାରଣ କରୋନା ଲେଖା ଯାଇ ନ ଥିବା କହି ରାଜ୍ୟ ସରକାର କ୍ଷତି ପୂରଣ ଦେବାକୁ ମନା କରି ପାରିବେ ନାହିଁ। ଦେଶର ବିଭିନ୍ନ ରାଜ୍ୟ ସରକାର ଶୀଘ୍ର ଏନେଇ ଜିଲାସ୍ତରୀୟ କମିଟି ଗଠନ ପାଇଁ ବିଜ୍ଞପ୍ତି ଜାରି କରିବା ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଯାହା ଦ୍ୱାରା ଲୋକେ ସହଜରେ ଆବେଦନ କରି ପାରିବେ। ସେହିପରି ମୃତ୍ୟୁ ପ୍ରମାଣପତ୍ରରେ ଆବଶ୍ୟକ ସୁଧାର ଲାଗି ଶୀର୍ଷ କୋର୍ଟ ନିିର୍ଦ୍ଦେଶ ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ଘରେ ମୃତ୍ୟୁ ଘଟିଥିବା ଲୋକଙ୍କ ପରିବାରକୁ ମଧ୍ୟ ଏହି ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି।

Share